ଏମିତି ବି ହୁଏ
ଏମିତି ବି ହୁଏ
ଜହ୍ନଠୁ ବି ଶୀତଳ,ଜୋଛନାଠୁ ସଫା
ପାଣିଠାରୁ ସ୍ଵଛ,
ହିମାଳୟ ଠାରୁ ବେଶୀ ବିଶ୍ଵାସ,
ଗଙ୍ଗା ଠାରୁ ଅଧିକ ପବିତ୍ର
ଥିଲା ଆମ ସମ୍ପର୍କ।
କ୍ଷୀର ନୀର ପରି ଜୀବନ
ନ ଥିଲା ଅବିଶ୍ୱାସ ର ଚିହ୍ନ
ଦୂର ଦିଗ୍ ବଳୟ ପରି ସୁନ୍ଦର
ଥିଲା ଆମ ଯୋଡ଼ି,
ଅବିଚଳିତ ଦୁହେଁ ଦୁହିଁଙ୍କ ପାଇ।
ଦର୍ପଣ ପରି ସତ୍ୟ,
ସରୋଜ ତପନ ସଦୃଶ
ଲୁହା ଚୁମ୍ବକ ପରି
ଆଉ ପୃଥିବୀର ମାଧ୍ୟାକର୍ଷଣ
ଶକ୍ତି ପରି ଥିଲା ଆମ ...
ନ ଥିଲା କିନ୍ତୁ କିଛି ଆଭାସ,
ଘୋଟି ଆସିଲା କଳାହାଣ୍ଡିଆ ମେଘ,
ଥରି ଉଠିଲା ମେଦିନୀ,
ଭୟଙ୍କର ବିଜୁଳି ଘଡ଼ଘଡିର
ଢୋ ଢୋ ଶବ୍ଦ,
ସୁ ସୁ ପବନର ଗର୍ଜନ,
ଭାଙ୍ଗିରୁଜି ଚୁର୍ ମାର ହୋଇଗଲା,
ଉଡେଇ ନେଲା, ଜାଳି ଦେଲା,
ବୁଡେଇ ଦେଲା, ହଜିଗଲା,
ସାଇତି ରଖିଥିବା ଅମୂଲ୍ୟ ସମ୍ପଦ,
ତଥାପି ଯିଏ ଅମର,
ଅଜର,
ଯାହାର କ୍ଷୟ ନାହିଁ,
ଏବେବି ସାଇତା ହୋଇ ରହିଛି
ହୃଦୟର ଅମୁହାଁ ଦେଉଳରେ,
ସେହି ସୁଖ ମୂହୁର୍ତ୍ତ ଗୁଡା
ଚେଇଁ ଉଠୁଛି ବେଳେବେଳେ,
ଚେତେଇ ଦେଉଛି,
ସେହି ଆପଣାର ମଣିଷ କଥା
ଅମାନିଆ ବୟସ କଥା,
ଅପାସୋରା ଘଟଣା କଥା,
ଲିଭି ଯାଇଥିବା ସଫେଦ
କାଗଜର କାଳି କଥା।
ପ୍ରଣତି ମହାପାତ୍ର
ବାଲେଶ୍ଵର।