ମୁଁ ଦାସଟିଏ
ମୁଁ ଦାସଟିଏ
ମୁଁ ଦାସଟିଏ - କରୁଣା ର ପାତ୍ରଟିଏ
ତୁମ ଜୀବନ ଓ ଯୌବନର
ତୁମ ଔଦାର୍ଯ୍ୟ ଇଚ୍ଛାର -
ମୁଁ ଅସମର୍ଥ ପୁରୁଷଟିଏ ।
ପ୍ରତିଦିନ ମୋର ଝାଳ ଓ ଆୟୁଷକୁ
ବାଣ୍ଟି ଦେଉଥାଏ -
ତୁମ ସ୍ଵପ୍ନ ଚରିତାର୍ଥ ପାଇଁ,
ଅବଶ୍ୟ ତୁମ ଇଚ୍ଛା ମୁତାବକ
ରହିଥାଏ ପାଖେ ପାଖେ -
ବରାଦିଆ କ୍ରୀତଦାସ
ନିଷ୍ଫଳ କ୍ରୋଧଟିଏ ହୋଇ ।
ତୁମ ଉଦଗ୍ର କାମନାର ଆସ୍ପର୍ଦ୍ଧା ମାନେ
ଆଗ୍ନେୟ ର ଉତ୍ତୋଳିତ ଲାଭା,
ମୋ ପୌରୁଷ ହାର୍ ମାନେ -
ମୁଁ ହାରେମର ବାନ୍ଦା ।
ତୁମେ ଅତୃପ୍ତିର ସାଗରର ତୃଷ୍ଣା
ମୁଁ ତୁଚ୍ଛ ଏକ ପୁରୁଷାକାର
ନିଅଁଣ୍ଟିଆ ମିଛ ସୌଦାଗର ।
ବେଳେ ବେଳେ ତୁମେ ଓହ୍ଲାଇ ଆସ
ମୋର ନିଷ୍ପିଦ୍ଧ ତପୋଭୂମିକୁ -
ଯେଉଁଠି ମୁଁ ମଗ୍ନ ଥାଏ -
ଖୋଜୁଥାଏ ଅବିନାଶୀ ଶକ୍ତିର ଉତ୍ସକୁ ।
ତୁମ କଟାକ୍ଷରେ ଶରାହତ- ପରାହତ -
ମୋର ବିପୁଳ ବିଶାଳ ବକ୍ଷ,
ତୁମ କୌମାର୍ଯ୍ୟର ଉଷ୍ମ ଦାହରେ
ହୀନବୀର୍ଯ୍ୟ ହୁଏ ମୋ ପୌରୁଷ
ଭଗ୍ନ ହୁଏ ତପ -
ବିଫଳ ମୋ ହୁଏ ମନୋରଥ ।
ତୁମେ ଏକ ସୁନ୍ଦର ଶାୟକ- ନୀଳ ସମ୍ମୋହନ
ବିଚିତ୍ର ଏ ବିଶ୍ଵ ବକ୍ଷେ - ବିସ୍ମୟ ସୃଜନ,
ମାୟା ଭୂତେ ଆବିର୍ଭୂତା- ଆଦ୍ୟାଶକ୍ତି ଏ ଧରାର ଉତ୍ସ
ତୁମେ ଏକ ବେଦ ମନ୍ତ୍ର- ହବନ ର ଅପୂର୍ବ ସ୍ତମ୍ଭନ ।
ତଥାପି ବଜ୍ରକଣ୍ଠେ - ନିର୍ଘୋଷିତ
ହେଉଥାଏ ବାରମ୍ବାର -
" ବିନା ଆଶ୍ରେ ନ ବର୍ତ୍ତନ୍ତି
କବିତା ବନିତା ଲତା "
ଆତ୍ମହତ୍ୟା କରୁଥାଏ
ମୋର ପୁରୁଷାକାର ।
ଶ୍ରଦ୍ଧାର ସହ
ଭକ୍ତ ଚରଣ ମଲ୍ଲ
31st August 2017