ରଙ୍ଗଭୂମି ଏ ଧରା ।
ରଙ୍ଗଭୂମି ଏ ଧରା ।
ରଙ୍ଗଭୂମି ଏ ଧରା ।
କଥା ମୁଁ ଦେଇଛି ହସି ହସାଇବି
ରଙ୍ଗ ମାଖି ମୁହଁସାରା ।
ଯାତନାରେ ଜଳୁଥିବି,
ଲହୁର ଲୁହକୁ ପଲକେ ଲୁଚାଇ
ଭେଟିବି ଜୀବନ ଧାରା ।
ପରଦା ପଛର ହାତ
ଧରିଥାଏ ଡୋରୀ, ମୁଁ କାଠ କଣ୍ଢେଇ
ନାଚୁଥାଏ ରାତିସାରା ।
ନିଜଠି ଆୟତ୍ତ କାହିଁ !
ପରଦା ପଡିଲେ ଖେଳ ସରିଯାଏ
ଉଡିଯାଏ ହଂସ ପରା ।
ହରେକ ରକମ ମୁଖା
ଯୋଗାଇ ଦିଏ ସେ ମହା ପ୍ରବନ୍ଧକ
ମଞ୍ଚ ପାଇଁ ଯାହା ଲୋଡା ।
ଦାଣ୍ଡର ଭିକାରୀ କରେ,
ରାଜା କରିବାକୁ ଇଚ୍ଛା ହେଲେ ପୁଣି
ଦେଖାଏ ଆଖି ଇସାରା ।
ତା' ଇସାରା ଏକା ଆଶ ।
ମଝି ଦରିଆରେ ଭସାଇ ଦେଖାଏ
କୁଟା ଖିଅର ସାହାରା ।
ନାଟକର ଶେଷ ଅଙ୍କ,
ଦେଖଣାହାରିଏ ମୁହଁ ଚାହାଁଚୁହିଁ
ଆଉ କେଇଘଡି ପରା ।
ରଙ୍ଗଭୂମି ଏ ଧରା ।।
ଦୀପ୍ତିମୟୀ ବିଶ୍ବାଳ