ବର୍ଷା, ପ୍ରିୟ ଓ ସ୍ମୃତି
ବର୍ଷା, ପ୍ରିୟ ଓ ସ୍ମୃତି
ମେଘ ବରଷିଲା ଟୁପୁରୁ ଟାପୁରୁ
ତୁମରି ପାଉଜି ସୁରେ,
କେଉଁ ରାଇଜରେ ରହିଲ ପ୍ରିୟାଗୋ
ମନେକି ପଡୁନି ଥରେ ।।
ଏଇ ବରଷାରେ ଭିଜୁ ଥିଲେ ଦିନେ
ମେଘ ମହ୍ଲାର ସୁରେ
ବରଷାର ବୁନ୍ଦା ଝରି ପଡୁ ଥିଲା
ତୁମ ସିନ୍ଥି ଧାରେ ଧାରେ ।।
କେଶ ତରଙ୍ଗିଣି, ମୁଖ ସୁରଙ୍ଗିଣୀ
ବରଷା ପାଣିରେ ଆହା,
ଗୋଲାପ କି ସତେ ଗାଧୋଇ ପଡିଛି
ଶିଶିର ବିନ୍ଦୁରେ ଯାହା ।।
ଭିଜା ଶାଢି ତୁମ ଜାବୁଡି ଧରିଛି
ସୁକୁମାରୀ ଅଙ୍ଗ ଲତା,
ଲାଜୁକି ନୟନ ବୁଜି ବୁଜି ଯାଏ
ଓଠ ଭୂଲି ଯାଏ କଥା ।।
କାନି ଟାଣୁ ଥାଅ ଲୁଚାଇ ନେବାକୁ
ଯୌବନର ତୁମ ଧନ,
ପବନ ବି ଆଜି ପାଗଳ ହେଉଛି
ଧନ ଦେଖିବାକୁ ମନ ।।
ସରମୀ ନରମି ପ୍ରିୟତମା ମୋର
ସତେ ସରଗର ପରୀ,
ବରଷା ସଜାଏ ବରଷା ବିନ୍ଦୁରେ
ଅଜନ୍ତା ର ମୂର୍ତ୍ତି ସରି ।।
କେଡେ ସରାଗରେ ଧରା ଦେଇଦିଅ
ବିଜୁଳି ଚମକେ ଯେବେ,
ଜାବୁଡି ଧରଗୋ ବାହୁ ବନ୍ଧେ ତୁମ
ସତେ ଛାଡିବନି କେବେ ।।
ଲିଜୁକି ନୟନ ମୋ ଆଖିକୁ ଦେଖେ
ତନୁରେ ଚମକେ ନିଆଁ,
ମୋ ବାହୁ ବନ୍ଧନ ଖୋଲି ବାକୁ କୁହ
ମିଛେ କୁହ ନାଁ-ଆ ନାଁ-ଆ ।।
ଶ୍ରାବଣ ର ଏଇ ଶିତଳ ପବନେ
ଖୋଜୁଛି ତୁମକୁ ସାଥୀ,
ଉଷୁମ ତୁମରି ପରଶ ଖୋଜୁଛି
ଖୋଜୁଛି ତୁମରି ପ୍ରୀତି ।।
ଆଜି ବି ଏମିତି କାନ୍ତାରେ ବସିଛି
ଶ୍ରାବଣ ବରଷି ଯାଏ,
ତୁମେ ସିନା ନାହଁ ଆଖେ ପାଖେ ମୋର
ତୁମ ସ୍ମୃତି ନାଚି ଯାଏ ।।
******×******