ଫରକ
ଫରକ
ଚନ୍ଦ୍ରାନନୀ ମୋର ଚାଲିଯିବା ଦିନୁ ଚହଲିଛି ଦିନଚର୍ଯ୍ୟା
ବଞ୍ଚିଛି ବୋଲି ମୁଁ ବାଆଁରା ବାଟୋଇ ବଞ୍ଚେ ହୋଇ ବିଧି ବର୍ଯ୍ୟା -୦-
ତା ଅନୁକମ୍ପାରେ ଆପଣେଇ ଥିଲି ଅଶକତ ଥିଲା ଯାହା
ଜାଣି ପାରିଲିନି କେମିତି ଜୀବନ ଯଜ୍ଞେ ହେଲା ଅହଂ ସ୍ଵାହା
ଏଥିରୁ ବୁଝିବେ ଜୀବନ ରାହାରେ ମୁଁ ଅଧା, ସେ ଅଧା ପୂର୍ଣ୍ଣ
ମୁଁ ତ ଅଛି ଦହ ଗଞ୍ଜ ଦୁନିଆରେ ସେ କେମିତି ମୁଁ ନ ଜାଣେ
ଇଚ୍ଛୁଛି ବନ୍ଧନ ଏଇଠୁ ନ ସରି ଆଗେ ବରୁ ମାଟି ଧୈର୍ଯ୍ୟା -୧-
ଯେତେ ଜନମ ମୁଁ ଧରାରେ ଧରିବି ସେ ହେଉ ଜୀବନ ସାଥି
ଡରୁଛି ବିଧିକୁ ମନୁଆଟେ ବୋଲି ସଦା ଲେଖେ ନୂଆ ନୀତି
ମୋ ଇଚ୍ଛା ତ କାର କ୍ଷତି କରୁନାହିଁ, ବରଂ ସମିବ ମୋ ଜ୍ବାଳା
ଜାଣୁଛି ତା ନ୍ୟାୟ ବିଚିତ୍ର ହେଲେ ବି ଉଚିତର ପାଠଶାଳା
ପୂର୍ଣ୍ଣ କର ମୋର ଇଚ୍ଛା ହେ ଠାକୁର ମାଗୁଛି ତୁମକୁ କର୍ଜା -୨-
ମୋ ଜୀବନେ ଆଉ ହା ହା କାର ପ୍ରଭୁ ତୋଳନାହିଁ ତୋଳନାହିଁ
ମଣିଷଟିଏ ମୁଁ ଧୈର୍ଯ୍ୟ ମୋ ସୀମିତ କଳନାହିଁ କଳନାହିଁ
ତୁମେ ଅକଳନ୍ତା ତୁମେ ମହାଦାତା କ୍ଷମାଦାତା ସର୍ବୋପରି
ହାଡ଼-ରକ୍ତ-ମାଂସଧରା ପ୍ରାଣୀ ମୁଁ ତୁମ ଦୟା ଅଧିକାରୀ
ମାଗୁଣି ମହୀରେ କେହିବି ନ ପାଉ ନିଜ ପାଶେ ନିଜେ ଲଜ୍ଜା -୩-