ଏ ଜୀବନ ତଟେ ଆରୋହୀ ତୁମେ
ଏ ଜୀବନ ତଟେ ଆରୋହୀ ତୁମେ
ତୁମ ଭାଗ୍ଯସହ ମୋ' ଭାଗ୍ଯ ଫଳକ
ଯେବେଠୁ ହୋଇଛି ଯୋଡା
ସେଦିନଠୁ ସାଥୀ ପଛକୁ ଚାହିଁନି
ତୁମ ସୁଖ ଦୁଃଖ ଛଡା ।
କୁଆଁରୀ ଜୀବନ ସାଧାକାଗଜରେ
ପ୍ରଥମ ନାଁ ଟି ତୁମରି ଛାପ
ମୋ' ସ୍ବପ୍ନ କୁଟୀରେ ରାଜା ହୋଇଗଲା
ତୁମର ସେଇ ସରଳ ରୂପ ।
ଜୀବନେ ଆସିଛି କେତେ ସୁଖ ଦୁଃଖ
ବାଣ୍ଟିଛେ ଆମେ ସାଥୀରେ
ଥକ୍କାପଣ ମୋ'ର ମେଣ୍ଟାଇଛି ସବୁ
ମୁଣ୍ତ ରଖି ତୁମ ଛାତିରେ ।
ହୃଦୟଟା ମୋର ଜଳୁଥାଏ ଯେବେ
ନିଦାଘ ବୈଶାଖ ପରି
ତୁମେ ଆସି ସାଥୀ ଢାଳି ଦିଅ ସେଠି
ତୁମ ହୃଦୟ ଶ୍ରାବଣ ବାରି ।
ସ୍ବପ୍ନ ଭାଙ୍ଗେ ଯେବେ ମୋ' ହୃଦୟ ତଟେ
ନୂଆ ରୂପେ ଗଢିଦିଅ
କୁହେ କି ନ କୁହେ ହୃଦୟର କଥା
ତୁମେ କିନ୍ତୁ ବୁଝି ଯାଅ ।
ଆମେ ଦୁହେଁ ମିଶି ଗଢିଥିଲେ ଯେଉଁ
ସ୍ବପ୍ନର ବାଲି ଘର
ଅଦିନରେ ଆସି କାଳ ବୈଶାଖୀ ଟା
କରିଦେଲା ଚୂରୁମାର ।
ମୋ' ଆଖିରେ ଲୁହ ଦେଖିବନି ବୋଲି
ଛାତିକୁ ପଥର କଲ
ଏ ଜୀବନ ତଟେ ଆରୋହୀ ତୁମେ
ତୁମେ ହିଁ ମୋ ଈଶ୍ବର ।
ସମ୍ପର୍କ ଟା ଆମ ଏହିପରି ସାଥୀ
ଅକ୍ଷୟ ହୋଇ ଥାଉ
ମୋ' ଜୀବନ ଦୀପ ଲିଭିବା ଯାଏ
ସିନ୍ଦୁର ମୋ କଥା କହୁ ।
କାଳର ପ୍ରହାର ଭାଙ୍ଗି ପାରିନାହିଁ
ଆମ ପବିତ୍ର ପ୍ରେମର ଛାଇ
ଏଇ ଜନ୍ମ ନୁହେଁ ଜନ୍ମ ଜନ୍ମ ପାଇଁ
ମୁଁ ରହିବି ତୁମର ହୋଇ ।
## ମମତା ମଞ୍ଜରୀ ଦାସ ,କଟକ ##