କୁଆଁର ଭାର
କୁଆଁର ଭାର
କୁଆଁର ଭାର
ଗାଁ ଚଉଦିଗେ ବସିଅଛି ଲାଗେ ଆଜି ଶରତର ହାଟ
ସଫା ସଫା ଲାଗେ ଗଗନ, ପବନ, ବିଲ, ବନ ଆଉ ଘାଟ
ଫୁଲେଇ ଜହ୍ନ କହେ ଠାରି ଦେଇ – ‘ମତେ ତୁମେ ଟିକେ ଚାହଁ’
ଚାଳଘର କୋଣେ ଦେଖନ୍ତି ଚାନ୍ଦକୁ କେତୋଟି ମଳିନ ମୁଁହ
ଜ୍ୟେଷ୍ଠl କନ୍ୟାଗଲା ଜ୍ୟେଷ୍ଠ ମାସେ ହୋଇଥିଲା ସିଏ ବାହା
ମଝିରେ ଏମିତି ଆଷାଢ଼, ଶ୍ରାବଣ, ଭାଦ୍ରବ ଯାଇଛି ଯାହା
ଝିଅ ଯାଇନି ସେ ଲକ୍ଷ୍ମୀ ଯାଇଛି ଏ ଦୁଆରୁ ଗୋଡ କାଢି
ଯେବେ ଠୁଁ ଯାଇଛି ତେବେ ଠୁଁ ଏ ଘରେ ବିପତ୍ତି ଆସିଛି ମାଡି
କାଠ ହାଣୁ ହାଣୁ ବାପର ଗୋଡ ରେ ବାଜିଛି କୁରାଢୀ ଚୋଟ
ଆଜିକୁ ମିଶାଇ ସାତ ଦିନ ହେଲା ବାପ ଧରିଅଛି ଖଟ
ନ ଜାଣି ଏ ସବୁ ବାରିକ ହାତରେ ଝିଅ କରିଛି ଖବର
ମନଲାଖି ଭାର ପଠାଇବ ବାପା ଆଗକୁ ଆସେ କୁଆଁର
ବିଲରୁ ପାଣି ତ ମରିନାହିଁ ସେଠି ମାଛ କଂକଡାଂକ ମେଳା
ଗର୍ଭବତୀ ଆଜି ସୁନା ଧାନ ପାଟ ପ୍ରକୃତିର ଶୁଭବେଳା
ଲକ୍ଷ୍ମୀ ମା’ ପୋତେ ବିଜୟ ପତାକା ଶସ୍ୟ କ୍ଷେତର କଡେ
ଦୁଧ ଢୁକୁଛନ୍ତି ଦାନା ଦାନା ଧାନ କେଉଁଠି ବା ଫୁଲ ଉଡେ
ଜଣା ଯାଏ ଯାହା ଆଉ କେତେ ଦିନ ଅମଳ ହେବ ଉଛୁର
କେବେ ବି ଏପରି ନିଅଣ୍ଟ-ନିଷ୍ଠୁର ହୋଇନି ଏଇ କୁଆଁର
ବାହାଘରେ ବାପା ଅଧା ଅମାରର ଧାନ ଦେଇଥିଲେ ବିକି
ସରି ଆସିଲାଣି ଖାଇବା ଚାଉଳ ମାତ୍ର କେତେ ସେର ବାକି
ମା ‘ ଜାଣେ ସିନା ବିହାଡି ଝିଅର ମନର ଗହନ କଥା
ସାହିରୁ ମାଗିବ ଉଧାର ଚାଉଳ ଗଢିବ ଆରିସା ପିଠା
ଝିଅ ବଡ ଯା’ ବଡ ଘର ଝିଅ ଆଣିବ ବଡ ବେଭାର
ନାକ କଟିବନି ସେଥିପାଇଁ ଝିଅ ବେଳସୁଁ କଲା ଖବର
ମାଟିହାଣ୍ଡି ଦେହେ ଚାଉଳଚିତା ଆଉ ଅଳତାର ଚିତ୍ର
ସ୍ନେହ ସନ୍ଦେଶରେ ଶୋହୁଛି ତାର ସୁନ୍ଦର ଶ୍ୟାମ ଗାତ୍ର
ବାଉଁଶ ବାହୁଂଗୀ କାନ୍ଧରେ ଝୁଲାଇ ଚାଲୁଛି ଭାରୁଆ ପୁଅ
ପହିଲି ବନ୍ଧୁ ବେଭାର ଇଏ ଆଗେ ଓଷା-ପର୍ବ ସୁଅ
ପାଣି କାଢୁ କାଢୁ ଦୂରରୁ ଶାଶୁ ତା ଦେଖିଦେଲା ଛୋଟ ହାଣ୍ଡି
ତୁଚ୍ଛା ଖଇରେ ଅଧା ହାଣ୍ଡି ଭରା ବାପ କି ଦେଇଛି ତଣ୍ଡି
‘ଛିଃ’ କରିଦେଇ ଭାରହାଣ୍ଡି ଶାଶୁ ରାଗରେ ଦେଲା ଗଡାଇ
ଝିଅ ଆଖି ଆଗେ ମା’ ସ୍ନେହପୁଷ୍ପ ଗଲା ଖଣ୍ଡ ଖଣ୍ଡ ହୋଇ
ବିଂଚି ହୋଇଥିଲା ମାଟି ଅଗଣାରେ ଖଇ ଉଖୁଡାର ମୋତି
କେହି ଆସିଲେନି ଖରତୁଣ୍ଡ ଡରେ ଖପରା ହାଣ୍ଡିର କତି
କାନ୍ଦ କାନ୍ଦ ମୁହେଁ ଝରକା ଭିତରୁ ଜହ୍ନକୁ ଥିଲା ସେ ଚାହିଁ
ଛଳ ଛଳ ଲୁହ ଜହ୍ନରୁ କଳଂକ ଧୀରେ ନେଉଥିଲା ଧୋଇ