ସସ୍ମିତା
ସସ୍ମିତା
ମୁଁ ତୁମକୁ ଜାଣେ କି ସସ୍ମିତା !
ନା ଶହେ ଦିନ ପୂର୍ବରୁ,
ନା ଶହେ ଦିନ ଭିତରେ ,
ନା ତୁମ ମୃତ୍ୟୁ ପରେ !
ଟି.ଭି, ଖବର କାଗଜ, ଫେସ୍ ବୁକ୍
ଏଇମାନଙ୍କଠାରୁ ଯେତିକି ଶୁଣିଚି,
ସେତିକି ତ ଚିହ୍ନିଚି ।
ନା ତା'ଠୁ କମ୍ ନା ବେଶି ।
ତୁମେ କୁନ୍ଦୁଲିର କି ପିପିଲିର
ଦିଲ୍ଲୀର କି ହରିୟାଣାର
କି ଯାଏ ଆସେ ସେଥିରେ !
ମୋ ଛୋଟ ମଗଜରେ
ଏତିକି ବୁଝିଚି ସସ୍ମିତା....
ମୁଁ ମୋତେ ଚିହ୍ନେ,
ଖୁବ୍ ଭଲ ଭାବେ ଜାଣେ ।
ଖାସ୍ ସେଇଥିପାଇଁ
ତୁମକୁ ବି ଜାଣେ ।
ଖବର କାଗଜରେ ତୁମକୁ
ପଢିଲାବେଳେ ମୁଁ ହିଁ
ନିଃଶେଷ ହେଉଥାଏ ଧୂର୍ତ୍ତ
ଶୃଗାଳର ନଖ ଓ ଦନ୍ତାଘାତରେ ।
ଧରାଶାୟୀ ହେଉଥାଏ ମୋର ଅସ୍ତିତ୍ବ ।
କର୍ତ୍ତନ ହେଉଥାଏ ମୋର ସ୍ବାଭିମାନ ।
ଜାଣ ସସ୍ମିତା !
ତୁମେ ସହ ମୁଁ ବି ଜର୍ଜରିତ,
ଲାଞ୍ଛିତ ହେଉଥାଏ ବାରମ୍ବାର
ସାମ୍ବାଦିକ ମାନଙ୍କ ପ୍ରଶ୍ନବାଣରେ ।
ତୁମ ସହ ମୁଁ ବି ଶୋଇଥାଏ
ଡାକ୍ତରୀ ମାଇନା-ଜୀବନ୍ମୃତ ଶରଶଯ୍ୟାରେ ।
ଅଣ୍ଡାଳୁଥାଏ ଆତାତାୟୀର ଅଲିଭା ଛାପ
ଛାତି, ବେକ, ଜଙ୍ଘ ସନ୍ଧିରେ ।
ମୋର ବି ଚରିତ୍ର ସଂହାର ହେଉଥାଏ
ସେତେବେଳେ, ଯେତେବେଳେ
ତୁମ ଚରିତ୍ରର ଦସ୍ତାବିଜ୍
ଓଲଟାଉଥାଏ ଅମଲାତନ୍ତ୍ର ।
ମୁଁ ବି ବାରମ୍ବାର ମରେ ସସ୍ମିତା,
ଯେତେବେଳେ ତୁମେ କାଠଗଡାରେ
ବଖାଣୁଥାଅ କେମିତି କଂସେଇ
ପରସ୍ତ ପରସ୍ତ କରି
ଛାଲ ଉତାରୁଥିଲା ତୁମ ଦେହରୁ,
କେମିତି ଟିକ୍ ଟିକ୍ କରୁଥିଲା
ତୁମ ଆତ୍ମା ,କାମନାର ଯୂପ କାଠରେ ।
କିନ୍ତୁ ମୁଁ
ଆତ୍ମହତ୍ୟାରେ ବିଶ୍ବାସ କରେନା ସସ୍ମିତା ।
ଆତ୍ମା ତ ଚିର ଅମଳିନ ।
ଗୀତାରେ ପଢିନ ...,
"ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି....!"
ଲଢିବା ଶେଷ ନ କରି
ଶେଷ ଯାଏ ଲଢିଥିଲେ
ହୁଏ ତ ପୋଛି ପାରିଥାନ୍ତ
ଅବାଞ୍ଛିତ ଦାଗ ,
ଫାଶୀଖୁଣ୍ଟରେ ଝୁଲିଥାନ୍ତା ଜରାସନ୍ଧ ।
ମୁଁ ବି ସଗର୍ବ କହିପାରିଥାନ୍ତି.....
ମୁଁ ତୁମକୁ ଜାଣେ,
ଖୁବ୍ ଭଲ ଭାବେ ଜାଣେ ।।