ଈଶ୍ବର ତୁମେ ମୁଁ ଓ ପ୍ରେମ
ଈଶ୍ବର ତୁମେ ମୁଁ ଓ ପ୍ରେମ
ଇଶ୍ବରଙ୍କୁ ...
ହେ ଇଶ୍ବର ତୁମେ ସେମିତି
ଅଦୃଶ୍ୟ ଓ ନୀରବ ରହିଥାଅ ଚିରକାଳପାଇଁ.....
ତୁମେ ହାତ ପାଆନ୍ତାରେ ନାହଁ ବୋଲି
ତୁମ ଲାଗି ଓଜାଡି ହୁଏ ଶହସ୍ର ପ୍ରଣିପାତ
ଲାଗିହୁଏ ଧୂପ ଦୀପ ଓ ଭକ୍ତି ନୈବେଦ୍ୟ...
ତୁମେ ଥରେ ମାତ୍ର ଜୀବନ୍ତ ହେଲେ
ଏମାନେ ତୁମକୁ ହୁଏତ ପିଆଇବେ ବିଷ
କିମ୍ବା ଜୀଁ' ଥାଉ ଥାଉ କରିଦେବେ କ୍ରୁଶବିଦ୍ଧ
ଜାଣିନ ଏମାନେ ପରା ମଣିଷ... ।।
ତୁମେ ...
ତୁମକୁ ବଖାଣିବାକୁ ମୁଁ ବିଲକୁଲ୍ ଅସମର୍ଥ
ତୁମ ଆଦର୍ଶ ଓ ଦାର୍ଶନିକତାର ସିଦ୍ଧାନ୍ତରେ
ତୁମେ ବେଶ୍ ଦକ୍ଷ ଆଉ ସଶକ୍ତ
ତୁମଠାରେ ସମୁଦ୍ରର ଅମାପ ଗଭୀରତା
ଅକଳନୀୟ ତୁମ ଭାବନା ଶକ୍ତିର ଅଜସ୍ର ଢେଉରେ
ବାରମ୍ବାର ଧକ୍କା ଖାଇ କୂଳରୁ ଭିତରକୁ
ଭିତରୁ କୂଳକୁ ଫେରୁଥିବା ମୁଁ' ଗୋଟାଏ ନିର୍ଜୀବ ଶାମୂକା
ତୁମେ କିନ୍ତୁ ସଦାସର୍ବଦା କଳକଳ
ଉତଫୁଲ୍ଲ ମହୋଦଧୀ ପରି ଲାଗୁଥାଅ ଜୀବନ୍ତ ଜୀବନ୍ତ
ସେପାଇଁ ତ ନିତି ଖୋଜିହୁଏ ତୁମ କୋଳେ
ମଣି ମୁକ୍ତାଠୁ ବି ଦୂର୍ଲଭ ହାବୁକାଏ ପ୍ରେମର ଉଚ୍ଛ୍ବାସ.....।।
ପ୍ରେମକୁ...
ପ୍ରେମ ଆଜି ଅଭିମାନ୍ ରେ ଜଡସଡ
ତା' ନୀରବତା କୁ କିଏ ବୁଝୁ କି ନ ବୁଝୁ
ନୀରବତାର ମହାନୁଭବତାରେ ମହୀୟାନ୍ ସେ
ପ୍ରେମ ଯେ ସର୍ବଦା ନିଷ୍ପେସିତ ଜାଣି ସୁଦ୍ଧା
ସେ ଲୁଚାଏନା ମୁହଁ ହୀନମନ୍ୟତାର କ୍ଷୋଭରେ
ବରଂ ବାୟାବସା ପରି
ପବନକୁ ବାଜିମାତ୍ ଲଗାଇ
ଝୁଲୁଥାଏ କେଉଁଠି ନା'କେଉଁଠି
ନିଜ ଭିତରେ ନିଜେ ମସଗୁଲ୍ ରହେ
ନିଜ ଅସ୍ତିତ୍ବକୁ ଜାହିର୍ କରିବାର ଖୁସୀରେ,
ଯେମିତି ଅନେକ ଝଡକୁ ଅତିକ୍ରମ କରି
ତୁମ ଦିଆ ମନିପ୍ଲାଣ୍ଟ ଲତାଟି ମୋ ବଗିଚାର
ପାଣି ପାଇପ୍ କୁ ଜାବୁଡି
କ୍ରମଶଃ ଉପରକୁ ଉପରକୁ ଲଟେଇ ଚାଲିଛି ...।।
ଇଶ୍ବର ବୁଝନ୍ତୁ କି ନ ବୁଝନ୍ତୁ
ତୁମେ ଖୁସୀ ହୁଅ ବା' ବିରକ୍ତ
କିମ୍ବା ପ୍ରେମର ମାନ ବଢୁ କି ନ ବଢୁ,
ସବୁ ଭିତରେ ଏତିକି କହିବି
ଏ ଶେଷ ନୁହେଁ କି କୌଣଷି ନିସ୍କର୍ଷ ବି ନୁହେଁ
ନୁହେଁ ବି ଉପସଂହାର ଆଜି ପାଇଁ କିମ୍ବା ଭବିଷ୍ୟତ ପାଇଁ
ସେ ଅଦୃଶ୍ୟ ଇଶ୍ବରଙ୍କୁ ତାଙ୍କ ସ୍ଥାଣୁତ୍ବ ପାଇଁ ପ୍ରଣାମ
ତୁମକୁ ତୁମ ଦାର୍ଶନିକ ଦୃଢୋକ୍ତି ପାଇଁ ସଲାମ୍
ଅଉ ପ୍ରେମକୁ ତା' ଅପରାଜେୟ ପରାକାଷ୍ଠା
ପାଇଁ ଶତ ଶତ ଜୁହାର୍ ।
(ସଂଘମିତ୍ରା ସାମନ୍ତରାୟ)