ବୈକୁଣ୍ଠ ସମାନ ଘର
ବୈକୁଣ୍ଠ ସମାନ ଘର
ବେକୁଣ୍ଠ ସମାନ ଆହା ଅଟେ ସେହି ଘର
ମୁଠା ମୁଠା ଟଙ୍କା ଯହିଁ ଆସେ ବାରମ୍ୱାର ।
ପତି ଫେରେ ଅଫିସିରୁ ବାରଟା ରାତିରେ
ଖେଳୁଥାଏ ଜୁଆ ପତ୍ନୀ ବନ୍ଧୁ ଗହଣରେ ।
ପୁଅ ଝିଅ ସାଙ୍ଗସାଥି ନେଇ ଥାନ୍ତି ବ୍ୟସ୍ତ
ଚାକର ପୂଝାରୀ ହାତେ ଘରର ଦାୟୀତ୍ବ ।
କୁଣିଆ ମଇତ୍ର ପାଇଁ ପ୍ରବେଶ ନିଷେଧ
ଗଲତିରେ ଆସିଗଲେ ଫେରିବାକୁ ବାଧ୍ୟ ।
ପତ୍ନୀ ପାଖେ ବେଳ ନାହିଁ ସମ୍ଭାଳିବ ଘର
କ୍ଲବ୍ ପାର୍ଟି ସଭାଗୃହେ ପାଏ ସେ ଆଦର ।
ମନ୍ତ୍ରୀ ଠାରୁ ତନ୍ତ୍ରୀଙ୍କର ଅତି ପାଖ ଲୋକ
ଅସାଧ୍ୟକୁ ସାଧିପାରେ ଝପକି ପଲକ ।
ଇଶାରାରେ ତା’ର ସୂର୍ଯ୍ୟ ଚନ୍ଦ୍ର ଆତଯାତ
ତଥାପି ମନର ଓରିମାନା ମେଣ୍ଟେ ନା ତ ।
ଅଫିସିରେ ପତିଙ୍କର ଅଛି ସେକ୍ରେଟେରୀ
କାମ ତା’ ଏମିତି ପତି ନଆସନ୍ତି ଫେରି ।
ଭାତ, ଡାଲି, ଭଜା, ଶାଗ, ସନ୍ତୁଳା ମହୁର
ମାଡି ପାରେ ନାହିଁ କେବେ ତାଙ୍କ ରୋଷଘର ।
ବୈକୁଣ୍ଠକୁ ଖାଦ୍ୟ ଆସେ ପାଖ ହୋଟେଲରୁ
ହୋଟେଲ ବାଲାର ବିଲ୍ କାହିଁ ଚିନ୍ତା କରୁ !
ଲୁଗା ଯାଏ ଲଣ୍ଡ୍ରି ସଫା ଇସ୍ତ୍ରୀ ହେବା ପାଇଁ
ଘରର ମହିଳା କିଛି କାମ ପାରେନାହିଁ ।
ଦିନରାତି ପିଲା ବସିଥାନ୍ତି ଟିଭି ଆଗେ
ତଣ୍ଟି ପାଟି ଶୁଖିଲେ ବି ଉଠିବେନି ବେଗେ ।
ତଥାପି ସେ ଘର ଅଟେ ବୈକୁଣ୍ଠ ସମାନ
(କାରଣ) ଲକ୍ଷ୍ମୀ ପାଟି ଖୋଲିଲେ ବନ୍ଦ ହୁଏ ବିଷ୍ଣୁଙ୍କର କାନ !