କିଏ ଲୋଡେ ମୋତେ
କିଏ ଲୋଡେ ମୋତେ
କିଏ ଲୋଡେ ମୋତେ ଜୀବନ ସରିତେ
ମୋର ରୂପ ରଙ୍ଗ ନାହିଁ
ସୁରମା ସୁଗନ୍ଧ ନଥିଲେ ତ ପାଖେ
କିଏ କରେ ନିଘା କାହିଁ ।
ସୁରଙ୍ଗ ସୁରୂପ ଥିଲେ ସିନା ପାଶ
ଆସନ୍ତା କି କିଏ ପାଖ
କେତେ ଆକର୍ଷଣ ସତେ ଏ ରୂପର
ରୂପ ପାଇଁ କେତେ ଭେକ ।
ଅଜର ଅମର ପ୍ରକୃତି ପ୍ରବାର
ପ୍ରକୃତିରେ ପ୍ରମାଦାୟୀ
ରୂପ ରଙ୍ଗ ଦେଖି ଦେହ ପ୍ରେମ ବାଇ
ମଧୁ ଚୁମ୍ବନର ପାଇଁ ।
ବିହରିବା ପାଇଁ ଅନନ୍ତ ଆକାଶ
ଆସୁଥାଏ ମୋର ଆଶା
ଉନ୍ମଳିତ ଆଖି ଦେଉଥାଏ ଦୃଷ୍ଟି
କରି ଦେହ ନିରଳସା ।
ଅରୁଣ କିରଣ କରୁଥାଏ ଟାଣ
ଦେଉଥାଏ ମନେ ପ୍ରାଣ
ନିନାଦିତ ତନୁ ହେଲେହେଁ ଅତନୁ
ଯିବ ସିନା ଅପଘୃଣ ।
ଅନ୍ୟଥା କଟାକ୍ଷ କରେ ବିରୂପାକ୍ଷ
ରୂପର କଷଟି ଧରି
ଅନନ୍ୟା ଅରୂପା ଦେବ କି ଆଟୋପ
ହେବା ପାଇଁ କାହା ସରି ।
ଅନ୍ୟ ରୂପ ରସ ଅନ୍ୟର ମାନସ
ନୁହେଁ ମୋର କେବେ ରୋଷ
ମୋହର ଉଦ୍ଦେଶ୍ୟ ପ୍ରକୃତିର ତୋଷ
ତୃଷାର୍ତ୍ତ କୁ ତପୁ ଶୋଷ ।
ପ୍ରକୃତି ନିୟମ ଦେଇଛି ଜୀବନ
ଅନୁସରି ହେବା ପାଇଁ
ଆଜୀବନ ନୁହେଁ ରୂପ ରଙ୍ଗ ଗନ୍ଧ
କାମନା ବାସନା ପାଇଁ ।
ଅନନ୍ତ ଆଶାରେ ଖୋଜୁଛି ଆଲୋକ
ଦେହାତୀତ ପ୍ରେମ ପାଇଁ
ଜୀବନ ବଞ୍ଚିଛି ଆଶା ବି ଭରିଛି
ଉଜ୍ଜୀବିତ ଅଛି ରହି ।
ପ୍ରଶାନ୍ତ କୁମାର ହୋତା