ଭାରି ମନେ ପଡେ
ଭାରି ମନେ ପଡେ
ଜଉ କଣ୍ଢେଇ ଲୋ ଜଉ କଣ୍ଢେଇ
ଲାଖରୁ ତିଆରି ତୁହି,
ତୋ ସାଥିରେ ଯୋଡା କେତେ ଯେ ଐତିହ୍ୟ
କଳାନୈପୁଣ୍ୟ ଥାଇ ।
ଜଉ ଲାଖରେ ତ ତିଆରି କେତେ
ଅପୂର୍ବ କଣ୍ଢେଇ,
ପିଲା ଠାରୁ ବୁଢା ସଭିଏଁ ପଡି
ଯାଆନ୍ତି ତୋ ପ୍ରେମରେ ସେହି ।
ଜଉ କଣ୍ଢେଇ ଯୋଡି କାଳେ
ସଧବାର ସୁହାଗ,
ସେ ଯୋଡି ପୂଜିଲେ ଦମ୍ପତିଙ୍କ
ନ ହୁଅଇ ବିଛେଦ ଯୋଗ ।
ଲୋକକଥା ଏହା ଶୁଣେ ମୁଁ
ଜଉ କଣ୍ଢେଇ ବିବାହ,
କରିଲେ ଦମ୍ପତିଙ୍କୁ ମିଳେ ସାତ
ଜନ୍ମର ସୁଖ ସୌହାର୍ଦ୍ଦ୍ୟ ।
ଅତି ଶରଧାରେ ଆଣେ ମୁଁ ହଳେ
ଜଉ କଣ୍ଢେଇ,
ପ୍ରତି ସାବିତ୍ରୀ ବ୍ରତ ଦିନ ପୂଜେ
ମନ ଲଗାଇ।
କଳା,ସଂସ୍କୃତି ସମ୍ପନ୍ନ ସହରେ
ଏ ନିଆରା ପରମ୍ପରା,
ବଡ଼ ଆଗ୍ରହ ଉଲ୍ଲାସରେ ପାଳନ୍ତି
ବାଲେଶ୍ଵର ସାରା ।
ମଣିଷ ବିବାହ ପରିକା ବର
ରୋଷଣୀ କରି,
କନିଆଁ ଘରକୁ ଯାଏ ସେ
ବରଯାତ୍ରୀ ଧରି ।
ବାଜା,ବାଣ,ରୋଷଣୀ ସାଥିରେ
ନାନା ପ୍ରକାର ଲାଇଟ,
ଆଖି ଝଲସାଇ କନିଆଁ ଘର
ଦିଅନ୍ତି ଯୌତୁକ ଭେଟି ।
ବାଲେଶ୍ଵର ସାରା ଦୁଲୁକେ
ଦେଖି ସେ ବାହାଘର,
ଜଉ କଣ୍ଢେଇ ଲୋ ତୋ ପାଇଁ କେତେ
ପାଉ ଖୁସି ଖବର ।
ଜେଜେ ଜେଜେମା ତ କହନ୍ତି କେତେ
ତୋର କାହାଣୀ,
ତୋ ପାଇଁ କାଳେ ଖୁସି ଆସେ
ଆମ ଘରକୁ ପୁଣି ।