ନିର୍ବାଣ
ନିର୍ବାଣ
ସାନ୍ନିଧ୍ୟ !
ତୁମେ ହଜିଗଲେ,
ଅଭିଶପ୍ତ ହୁଏ ମୋ' ଜୀବନ ।
ଏତେ ବଡ ବିଶାଳ ବିଶ୍ୱରେ,
ହୋଇଯାଏ ନିତ୍ୟ ନିର୍ବାସିତ ।
ମାତୃତ୍ବ,ପିତୃତ୍ବ ଆଉ ଭାତୃତ୍ବ,ବନ୍ଧୁତ୍ୱ,
ସବୁ ଲୁଚିଯା'ନ୍ତି ନିଷ୍ଠୁରତା ଗର୍ଭେ ।
ଭାଗ୍ୟ ଥାଇ ବି, ହୁଏ ଭାଗ୍ୟହରା ।
ଈଶ୍ୱର ବି ହୋଇଯା'ନ୍ତି ଆର୍ଦ୍ର ଅଭିମାନୀ ।
ମନ୍ଦିରର ଦ୍ୱାର ହୁଏ କଙ୍କର କିନ୍ନର ।
ସମ୍ପତ୍ତି !
ଦୁର୍ବାରତା ଆଉ ଉଦ୍ଧାମତା,
ତୋ'ଦେହର ଦୁଇଟି ପାଖୁଡା ।
ଗର୍ବ ତୋ'ର ପ୍ରିୟ ପ୍ରତିକ୍ରିୟା ।
ଦୁଃଖ ଲାଗେ ଭାବିଲେ ତୋ'କଥା ।
ବୈଶାଖୀର ପତ୍ରଝଡା ପରି,
କେଉଁ ମୁହୂର୍ତ୍ତରେ ଝଡିଯାଏ,
ତୋ'ର ମୁଖଶ୍ରୀ ସୌନ୍ଦର୍ଯ୍ୟ ।
ସେଇ ଗର୍ବ,ସେଇ ଦମ୍ଭ,ସେଇ ଉଦ୍ଧାମତା,
ଲୁପ୍ତ ହୁଏ,ବେସାହାରା କରିଦେଇ
ସାଥିକୁ ତୋହର,ଚାଲିଯାଉ ,
ଚଂଚଳା ତୁ,ନୋହୁ ଚିରନ୍ତନ ।
ସମ୍ମାନ !
ସମ୍ମାନ ଲୋ !
ଏତେ ଲାଜବତୀ,
ଏତେ ନିଭୃତ ନର୍ତ୍ତକୀ ! !
ବାକଦେବୀଙ୍କ ବୀଣା ଠାରୁ
ଆହୁରି ଝଙ୍କୃତ ।
ସହଜରେ ଦେଉ ନାଇଁ ଧରା ।
ଦୂରେ ବି ନ ଥାଉ ।
ଚାହୁଁ ଖାଲି ସମର୍ପଣ
ବଳିଷ୍ଠ ବ୍ୟକ୍ତିତ୍ୱ ଆଉ
ନିଷ୍ଠାପର ମଣିଷ ପଣିଆ ।
ସହଜରେ ଧରା ଦେଉ ନାହିଁ ।
ଥରେ ଧରା ଦେଲେ
ସାଥୀ ତୋ'ର ସଜୀବନେ
ସ୍ୱର୍ଗ ଲାଭ କରେ ।
ତ୍ୟାଗ ଓ ସଂଘର୍ଷ,
ଦାୟିତ୍ୱ ଓ କର୍ତ୍ତବ୍ୟ,
ସବୁ ବାନ୍ଧି ପକେଇ ଦିଅନ୍ତି
ତୋତେ ଚକ୍ରବ୍ୟୁହେ
ଅଭିମନ୍ୟୁ ପରି ।
ମୃତ୍ୟୁ ପରର ସ୍ୱର୍ଗ ଠାରୁ
ତୁ ଆହୁରି ସୁନ୍ଦର
ତୁ ଆହୁରି ସ୍ୱପ୍ନିଳ,
ତୁ ଆହୁରି ବର୍ଣ୍ଣାଢ୍ୟ,
ତୁ ଆହୁରି ରତ୍ନାଭ ।
ମଣିଷ ଜନ୍ମର ସାର୍ଥକ ଚରିତ୍ର ଟିଏ ।
ଚିର ହରିତ,
ଲାକ୍ଷା ଲାବଣ୍ୟ,
ସୁପ୍ତ ସ୍ବର୍ଣ୍ଣାଭ,
ମୃଣ୍ମୟୀ, ମଧୁମୟ,
ହସ୍ୟମୟୀ,ଲାସ୍ୟମୟୀ
ହଜାର ହୀରକ ।
ନିର୍ବାଣ !
ଜୀବନର ଅବକ୍ଷିପ୍ତ
ଅନ୍ତିମ ସୋପାନ ।
ତୋତେ ପାଇବାକୁ
ହୋଇପାରେ କଷ୍ଟ ସାଧ୍ୟ,
କିନ୍ତୁ,ନୁହେଁ ଅସମ୍ଭବ ।
ସତ୍ୟ,ଧର୍ମ,ନ୍ୟାୟ,ତ୍ୟାଗ
ଉଦାର ପଣିଆ,
ସଂଘମିତ୍ରା ପରି ସର୍ବଂସଂହା
ସବୁ ଗୁଣେ ଗରୀୟାନ ହେଲେ
ହୁଏତ ତୁ ଦେଖା ଦେଇଥାଉ ।
ତ୍ରିଲୋକର ଶ୍ରେଷ୍ଠ ନ୍ୟାୟ,
ବଳିଷ୍ଠ ଆଶ୍ରୟ,ତୋ'କୋଳରେ
ତ୍ରିଲୋକରେ ସମ୍ମାନରେ ଶ୍ରେଷ୍ଠ ।
ଧନ୍ୟ ସିଏ,ତୋତେ ପାଏ ଯିଏ ।