ଶକ୍ତି ନ ପାରିଲୁ କଳି
ଶକ୍ତି ନ ପାରିଲୁ କଳି
ତିନି ପାଦ ଭୂମି ମାଗିଲି ମୁଁ ଯେବେ
ଶକ୍ତି ନ ପାରିଲୁ କଳି ,
ଦୁଇ ପାଦେ ଦେଲୁ ପୃଥିବୀ,ଆକାଶ
ଆରେ ମହାଦାନୀ ବଳି ।
ଏବେ ହେଉ କିବା ଭାଳି
କେଉଁଠି ରଖିବି ମୋ ତୃତୀୟ ପାଦ
ସତ୍ୟରୁ କି ଯିବୁ ଟଳି !!
ମହାଦାନୀ ବୋଲି ସାରା ସଂସାରରେ
ଅଭିମାନ ଥିଲା ତୋର ,
ଏଡ଼ିକି ବକଟେ ରୂପ ଦେଖି ମୋର
ସତ୍ୟ କଲୁ ତିନିବାର
ନୁହେଁ ମୁଁ ବାମନନର ,
ମୋ ଆଡ଼କୁ ଚାହାଁ କରେ ଶଙ୍ଖ ଚକ୍ର
ଅଟେ ମୁଁ କମଳା ବର ।
ମୋ ରୂପକୁ ଦେଖି ଯୋଡ଼ହସ୍ତ ହୋଇ
ପାତିଲୁଣି ତୋର ମଥା ,
ଏଇଠି ଥୋଇବି ମୋ ତୃତୀୟ ପାଦ
ଥିବ କାଳେ କାଳେ କଥା
ଧନ୍ୟ ତୋର ପିତା ମାତା ,
ଚିରଦିନ ତୁହି ପାତାଳରେ ରହି
ହୁଅ ସେ ଧାମର କର୍ତ୍ତା ।
ସଂସାର ମଧ୍ୟରେ ମହାଦାନୀ ଆଉ
ସତ୍ୟବାଦୀ ତୁହି ଯେଣୁ ,
ପାତାଳ ପୁରରେ ଦ୍ୱାରପାଳ ହୋଇ
ରହିବି ମୁଁ ତୋର ତେଣୁ
ଏକଥା ଦୁନିଆ ଜାଣୁ
ବୃଥା ଅହଙ୍କାର ତୁଚ୍ଛ ଭାବ କେହି
କଦାପି ମନେ ନ ଆଣୁ ।