ଶୋଷ
ଶୋଷ
ସବୁ ଦିନେ ସବୁ କଥା ମନେ ପଡେ
କେବେ ପୁଣି ଲୁଚିଯାଏ
ସେଇ ଆକାଶିଆ ପର୍ଦ୍ଦାର ଅନ୍ତରାଳେ
ଯେଉଁଠୁ ଖାଲି ଝରେ ଆନନ୍ଦର ଦୁଃଖର
ଝରଣା ନିରନ୍ତର ବୋହି ଚାଲେ ।।
ତୁମକୁ ପଚାରିବା ପାଇଁ
ପ୍ରତୀକ୍ଷାର ଅବସାନ ନାହିଁ
କେବେ ତୁମ ହସ ଗଢେ ନିବିଡ଼ତା
କେବେ ତୁମ ଉଦାସୀନ ଚାହାଣୀ ତେରେଛା
ଛାତିକୁ ଥରାଇ ଦିଏ ।।
କାହିଁକି ଯେ ଦେଲ ଏତେ ପାରିବା ପଣିଆ
ଯାହାକୁ ଧରି ରଖିବାକୁ ଭର୍ତ୍ତି ହୁଏ ପୁଣି
ମେଞ୍ଚେ ମେଞ୍ଚେ ଅହଂକାର
ଆଖିରୁ ତତଲା ପାଣି ନିଗାଡିବା ପାଇଁ
ଦରକାର ପଡେ
ମୁହୂର୍ତ୍ତକର ନିରୋଳାଟିଏ ।।
ସନ୍ଦେହ ବି ମୁହଁ ମୋଡିଦିଏ
ଏ ଜୀବନର କିଛି ମୂଲ୍ୟ ନାହିଁ ବୋଲି
ପାହାଡ଼ର ସେ ପଟରେ
ଗୁଳି ବାରୁଦର ଲଢେଇରେ
ହାରିବାର ମଣିଷ ପଣିଆକୁ ଖତେଇହୁଏ।।
କେଉଁ ଲୁଚକାଳି ଖେଳିବା ପାଇଁ କି
ମର୍ତ୍ତ୍ୟେ ଜନ୍ମ ହୋଇଛିକେ
ସେ ପାଇଁ କି ଯେତେ ମିଛ ଅବତାର
ପୁଜି ହୁଏ ମହାନ ସଂସ୍କାରର
ଆବର୍ଜନା ଭିତରେ ।।
ଲୋଡା ନାହିଁ ବୋଲି କହିବାକୁ
ସାହସ ବି ନାହିଁ
ଏ ତୃଷ୍ଣା ମରୁ ଭୂମିର ସମ
ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତରେ ଖାଲି ଲାଗେ
ଶୋଷ ,ଆଉ ଶୋଷର ଶୋଷରେ
କେଉଁଠୁ ଆରମ୍ଭ ଆଉ କେଉଁଠି ବା ଶେଷ ଥାଏ ।।
ସିପ୍ରା ନାମତା
ବାରିପଦା