Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Others

3  

Prasanna Kumar Madala

Others

ଦ୍ବାପର ଯୁଗର ବଂଶୀ

ଦ୍ବାପର ଯୁଗର ବଂଶୀ

1 min
12.9K


ସୁମେରୁ ଦ୍ଵୀପର ଉତ୍ତାପ ବିହୀନ

ମସୃଣ ତୁଷାର ବୁକେ

ରହି ଉଦାସରେ ଚାତକ ପରାୟେ

ଚାହିଁଲି ଚନ୍ଦ୍ରମା ମୁଖେ ।

ଚନ୍ଦ୍ରମା କହିଲା ସମଦଶା ମୋର

ଯୋଜନ ଦୂରରେ ପ୍ରିୟା

ସରସୀରେ ଫୁଟି ଚାହିଁଦେଲେ ରାତେ

ତରଳି ଉଠେ ମୋ ହିୟା ।

କଳପ ଯୁଗର ତାରକା ମାଳକୁ

ହୃଦୟେ ଦେଇଛି ରଖି

ବ୍ରହ୍ମାଣ୍ଡର ଏହି ଅପରୂପ କୋଣେ

ସତାଇଶ ଯୁବା ସଖୀ ।

ସ୍ଵପ୍ନ ସବୁ ମୋର ଆକାଶରୁ ଖସି

ଝରିଯାଏ ପୃଷ୍ଠ ତଳେ

ରଜତ ରାତିର ହୀରକ ଝଲକ

ଉତ୍ତରଙ୍ଗ ହୋଇ ଚଳେ ।

କାହିଁ କେତେ ଦୂରେ ବିଷୁବରେଖାରେ

ତୁମେ ତ ଅନୂଢା କନ୍ୟା

ସେ ଦିଗ ବଳୟ ମୋ ଭ୍ରୂଲତା ତଳେ

ରଚାଏ ବିରହ ବନ୍ୟା ।

ମଝିରେ ଆମର ନାତିଶୀତୋଷ୍ଣର

ବିସ୍ତୃତ ଢିପ ଓ ଖାଲ

କମ୍ପନ ଭରା ସେ ଲମ୍ବ ଉପତ୍ୟକା

ଆବେଗର ମାୟାଜାଲ ।

ନାହିଁ ମୋର ଭାଗ୍ୟେ ହେମାଳ ମଣ୍ଡଳେ

ଝରା ପର୍ଣ୍ଣଟିଏ ସିନା

କେମିତି ବୁଝିବ ଗଭୀର ବେଦନା

ତହିଁ ବିସ୍ଫୋରଣ ବିନା !

ଗ୍ରୀଷ୍ମ ପ୍ରବାହର ଅଯାଚିତ ଦାନେ

ଇନ୍ଦ୍ରଧନୁ ତୁମେ ପାଅ

ପୁଷ୍ପବାଟିକାରେ ବିହରି ଉଷତ

ପରିପୂର୍ଣ୍ଣ ହୋଇ ଥାଅ ।

ସୂର୍ଯ୍ୟର ଚୁମ୍ବନେ ପକ୍ବଫଳ ତୁମେ

ଖେଳିଯାଅ ଋତୁରଙ୍ଗେ

ତନ୍ମୟ ହୋଇ ମୁଁ ନିରୀକ୍ଷଣ କରେ

ଦୂରେ ଥାଇ ଥରା ଅଙ୍ଗେ ।

ସପନରେ ଦେଖି କଳ୍ପନା ବିଳାସୀ

ହେଉଥିବି କେତେ ଦିନ

ବେଳୁ ବେଳ ମୋର ହୃଦୟ ଭିତର

ଆପେ ହୋଇଲାଣି ଖିନ୍ନ ।

ଢଳି ଢଳି ଆସ ଅଧାବାଟ ଯାଏଁ

ଆଗୋ ମୋର ରାଜହଂସୀ

ତୁମ ଲାଗି ଏଇ ମୁଖସ୍ଥ କଲିଣି

ଦ୍ଵାପର ଯୁଗର ବଂଶୀ ।

ପ୍ରସନ୍ନ କୁମାର ମାଦଳା


Rate this content
Log in