ମାମୁଁ ଥିଲେ ପଠେଇ
ମାମୁଁ ଥିଲେ ପଠେଇ
ସାନମାମୁଁ ସୋନା ପାଇଁ
ଦେଇଥିଲେ ପଠେଇ ,
ଜାଣିଥିଲେ ତା' ପସନ୍ଦ
ରସଗୋଲା, ମିଠେଇ ।
ମୁହଁ ହାତ ଧୋଇ ସୋନା
ଗୋଟେ ଗୋଟେ ଖାଇଲା,
ଗପ ବହି ପଢୁ ପଢୁ
ଚୁପଚାପ ଶୋଇଲା ।
ମୋନା ଆସି ଦେଖିଦେଲା
ଏତେ ମିଠା ରହିଛି ,
ଏକ,ଦୁଇ ଖାଉ ଖାଉ
ମନଭରି ଖାଇଛି ।
ପେଟପୂରା ଖାଇସରି
ତୁନି ହୋଇ ଶୋଇଲା,
କିଛି ବେଳ ପରେ ଖାଲି
ବାଉଳି ସେ ହୋଇଲା ।
ପେଟ ତା'ର କାଟିହେଲା
ଭେଏଁ ଭେଁ କାନ୍ଦିଲା,
ସତ କି ମିଛ କହିବ
ମନେ ମନେ ପାଞ୍ଚିଲା ।
ବାପା, ମାଆ ନେଇଗଲେ
ଡାକତର କତିକି,
କହିଦେଲା ଘରେ ମିଠା
ଖାଇଥିଲା ଯେତିକି ।
ଶୁଣିକରି ଡାକ୍ତର ତା'
ଚିକିତ୍ସାଟି କରିଲେ ,
ବୁଝାଇ ଶୁଝାଇ କରି
କେତେ କଥା କହିଲେ ।
"ଖାଇବନି ଲୋଭକରି
ମିଠା କେବେ ଏମିତି,
ଶରୀରର କ୍ଷତି ପୁଣି
କରିବନି ଯେମିତି ।
ତେଲଛଣା ଚିଜ ତୁମେ
ଘରେ କରି ଖାଇବ,
ବେଶୀ ନୁହେଁ ପେଟ ଟିକେ
ଫାଙ୍କା ଯେହ୍ନେ ରହିବ ।
ଡାକ୍ତରଙ୍କ କଥା ଶୁଣି
ମୋନା ହଁ ଭରିଲା,
କଥାଟିକୁ ମନେ ରଖି
ପାଳନ ସେ କରିଲା ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।