ଆଶ୍ଵିନେ ଶରତ
ଆଶ୍ଵିନେ ଶରତ
ଶରତ ଆକାଶ ଶୋଭାରେ ବିକାଶ
ଶୋଭାବନ ଧରା କୋଳ
ରବି ଛବି ଶୋଭା ଅତି ମନଲୋଭା
ସବୁଜିମା କ୍ଷେତମାଳ ।।
ନୀଳିମା ଆକାଶ ଦୂର ଦିଗ୍ ବଳୟେ
ଭାସେ ଦେଖ ମେଘମାଳ
କ୍ଷେତ ଧାରେ ଧାରେ ଆହାର ଲୋଭରେ
ହୋଇଛନ୍ତି ବକ ମେଳ।।
ଧାନ କେରା ଧରି ଚାଷୀ ପୁଅ ଗାଏ
ମନ ମତାଣିଆ ଗୀତ
ସୁଖ ଶିରୀ ସତେ ହାତ ପାହାନ୍ତାରେ
କହୁଛି ଆଶ୍ଵିନ ମିତ।।
ନଭ ଦେହେ ଦେଖ ଚମକେ ବିଜୁଳି
ଛୁଏଁ ଇନ୍ଦ୍ରଧନୁ ଛବି
ସଂଜ ନଇଁ ଗଲେ ଅସ୍ତଗାମୀ ରବି
ଝଲସେ ଆଭା ପ୍ରକଟି ।।
ଧରଣୀ ରାଣୀର ମନ ଛନଛନ
ପାଇ ଶୀତଳ ସମୀର
କାଶତଣ୍ଡୀ ନାଚେ ଅଣ୍ଟାକୁ ହଲେଇ
ତୋଳି ଶୋଭାର ସମ୍ଭାର।।
ବାଦଲ ଫାକଂରେ ଲୁଚକାଳି ଖେଳେ
ନୀଳ ଆକାଶର ଜହ୍ନ
ବିବିଧ କିସମ କୁସୁମ ମହକେ
ପୁଲକିତ ଜନମନ ।।
ମର୍ତ୍ତର କାନନ ଦିଶେ ଶୋଭାବନ
ହସେ ଏ ନିର୍ମଳ ଧରା
ଚତୁଃର୍ଦିଗ ଏଠି ସ୍ଵାଗତ ମୁଦ୍ରାରେ
ଖୋଲି ସୁଷମା ପସରା ।।
ଶରତେ ଆଶ୍ଵୀନ ହସୁଛି ପାର୍ବଣ
ଚତୁଃର୍ଦିଗ ଭାବମୟ
ଦୁର୍ଗତିନାଶିନୀ ଆସିବେ ଧରଣୀ
ପାପ ଭାର ହେବ କ୍ଷୟ ।।
ସୁଶାନ୍ତ ପ୍ରଧାନ
ବନ୍ଧହୁଡା
ନରସିଂହପୁର କଟକ