ନରକ ଲୋକ
ନରକ ଲୋକ
ବୁଲି ଚଉପାଶ ଦେଖିଲି କା' ବାସ
ଉପରେ ନାହିଁ ବି ଚାଳ
ଗରିବ ସକଳ ଡହଳ ବିକଳ
ପେଟ ପାଇଁ ଚିରକାଳ ।
ହତାଶେ ପ୍ରକାଶେ ଜୀଇଁବା ସକାଶେ
କାମ ଖୋଜୁଥାଏ ହାତ
ଏ ଦେଶରେ ଆମ ନକରିଲେ କାମ
ମିଳେନି ମୁଠାଏ ଭାତ ।
ସ୍ଵାଭିମାନ ହରା ଜୀବନ ଏ ପରା
ଲାଗେ କେଡ଼େ ହୀନିମାନ
ଜୀଇଁବାଟା ବିଷ ମଣେ ଏ ମଣିଷ
ନଲୋଡଇ ଅନୁଦାନ ।
ହିସାବ ନିକାଶ କରି କେ ବିକାଶ
ନାଆଁରେ ହୁଙ୍କାର ଛାଡେ
ରାସ୍ତା କଡେ ବସା ଦୀନ ଜନ ଦଶା
ଦେଖି କେତେ ଲାଜ ମାଡେ ।
ଟୋପାଏ ପେଜରେ ଧୂଳିର ଶେଯରେ
ଦିନ ଗଣେ ଯିଏ ନିତି
ଦୁର୍ବିସହ ତାର ଦେହେ ବଳତ୍କାର
ଏହି ତ ସମାଜ ରୀତି ।
ମଣିଷର ଖୋଳେ ଥିବା ପଶୁ କୋଳେ
ଅବହେଳିତାର ଶ୍ଵାସ
ବହୁଥାଏ ଖର ଲାଞ୍ଛନାର ଗର
ପିଇ ପିଇ ବାରମାସ ।
ନାଲି ଆଖି ତଳେ ଉଦର କି ଭଲେ
ଭରିବାରେ ଥାଏ ମାନେ
ଅମଣିଷ ପ୍ରାୟେ ଓଠ ଚାଟୁଥାଏ
ଆଖି ଲୁହ ପ୍ରତିଦାନେ ।
ଦୀନ ଦୁଃଖୀ କଥା ପାଇଁ କେବେ ମଥା
ପୂରାଏନି ସୁଖୀ ଲୋକ
କେମିତି ଭଲରେ ନିଦାନ କଲରେ
ଥାଉଁ ଏ ନରକ ଲୋକ ?
ପ୍ରସନ୍ନ କୁମାର ମାଦଳା