ପିତା
ପିତା
ପିତୃ ପୟର ମୋ ଈଶ୍ଵର ସମାନ
ପଦେ କରେ ମଥାନତ
ପିତୃ ପରିଚୟ ଥାଏ ବୋଲି ସିନା
ପୁତ୍ର ନୁହେଁ ଅବାଞ୍ଛିତ ।
ପିତାର ମର୍ଯ୍ୟଦା ରଖେ ଯିଏ ସଦା
ସନ୍ତାନେ ଉତ୍ତମ ଭାବ
ପିତା ଦେଉଥାଏ ଅମୃତ ପରଶ
ଭାଗ୍ୟବାନ୍ ଜାଣେ ସ୍ୱାଦ ।
ପିତା ସ୍ୱର୍ଗ ବୋଲି ଜଗତେ କଥିତ
କେହି ନୁହେଁ ତାହା ସମ
ମାତାର ଲାଳନ ଧରତୀ ସମାନ
ପିତାର ଛାୟା ପବନ ।
ବଞ୍ଚିବା ଦୁଃସହ ପିତାର ବିହୁନେ
ପିତା ପରିବାର ପ୍ରାଣ
ସେ ପ୍ରାଣକୁ ଯାର ଅନାଦର ଭାବ
ମଣିଷ ନୋହିବ ଜାଣ ।
ପିତା ପ୍ରୀତ ହେଲେ ପ୍ରିୟନ୍ତି ଦେବତା
ପିତା ନମଣିବ ହେୟ
ବୃଦ୍ଧାଶ୍ରମେ ଛାଡି ଦାୟିତ୍ଵ ଦାହିଲେ
ନର୍କ ଭୋଗିବା ନିଶ୍ଚୟ ।
ବାଳ ବୟସରୁ ଯୁବାବସ୍ଥା ଯାଏ
ଆଦର୍ଶ ସଂସ୍କାର ଦିଏ
ସ୍ଵାର୍ଥ ତ୍ୟାଗ ତାର କେହି ନଦେଖନ୍ତି
ନୀରବ ଅନ୍ଧାରେ ରହେ ।
ଅସାଧ୍ୟ ସାଧନ ହିମାଦ୍ରି ଲଂଘନ
ପିତା ପାଇଁ ସବୁ ଛାର
ସନ୍ତାନ ସରାଗେ ଜଳାଂଜଳି ଦିଏ
ଜୀବନ ଉତ୍ସର୍ଗ ତାର ।
ପିତା ତୁମେ ଆଜି ନାହଁ ବହୁଦୂରେ
ଛାଡିଗଲ ଅବଦାନ
ପିତା ଯେ ପାଇଛି ପିତୃତ୍ଵ ସନ୍ଧାନ
ଅନ୍ତଃସ୍ଫୁର୍ତ୍ତି ଆରୋହଣ ।
ପ୍ରଶାନ୍ତ କୁମାର ହୋତା