ଶୀତ
ଶୀତ
ନୀଳ ନିର୍ଜନ ରାତିର ଛାତିରେ
ଶୀତର ଠିକଣା ଖୋଜି
ଯାଉଥିଲା ଋତୁ ତୁମ ସହରକୁ
କାକରରେ ଭିଜି ଭିଜି
ଶୀତକୁ ଦେଖିଲା ରାଜପଥ ଧାରେ
କାଠ ଗଣ୍ଡିଟିରେ ଜଳେ
ତା ଚତୁର୍ଦ୍ଦିଗରେ ପ୍ରସାରିତ ହସ୍ତେ
ଉତ୍ତାପ ସାଉଣ୍ଟେ କୋଳେ
କ୍ଷେତମାଳେ ଶୀତ କୁହୁଡି ପହଁରେ
ଫୁଲର ପସରା ହସେ
ଲାଜକୁଳି ଲତା କାକର ପରଶେ
ସଙ୍କୁଚିତ ହୋଇ ବସେ
ଶୀତ ଆସୁଥାଏ ଧିର ପଦପାତେ
କାର୍ତ୍ତିକର ପୁଣ୍ୟ ବ୍ରତେ
ଜଳବିନ୍ଦୁ ଲାଗେ ହିମ ବିନ୍ଦୁ ପରି
ଆକାଶ ଦୀପର ସାଥେ
ବାଡି ବରକୋଳି ଟୁପ୍ ଟାପ୍ ପଡେ
ସାଗ କିଆରୀର ଧାରେ
ଦିଗ୍ ବଳୟରେ ସୂର୍ଯ୍ୟ ଉଇଁଲେ
ଝଲସେ ପୋଖରୀ ଜଳେ
ସହର ତଳିର ବସ୍ତିରେ ଶୀତ
କୁଙ୍କୁରି କାଙ୍କୁରି ବସେ
ଫୁଟ୍ ପାଥ୍ ପରେ ମଣିଷ ଓ ପଶୁ
ଉଷ୍ମତାଟିଏ ଖୋଜେ
ସକାଳୁଆ ସ୍କୁଲ ପିଲାଙ୍କ ବସ୍ତାନି
ଭିତରେ ଲୁଚଇ ଶୀତ
ପ୍ରଭାତ ଭ୍ରମଣେ ମଣିଷଟିଏ ସେ
ଶୀତକୁ କରଇ ମିତ
ମାର୍ଗଶିରର ଝୋଟି ଚିତା ପଛେ
କୁଳବଧୂଟିର ହାତ
ଶୀତର କମ୍ପିତ ସ୍ପର୍ଶ ଛାଡି ଦିଏ
ଶୀତଳ ଜଳରେ ସ୍ନାତ
ପୁଷ୍ପ ଆଚ୍ଛାଦିତ ମୁଗ୍ଧା ଧରଣୀ
ଗୋଧୂଳି ବେଳାର ଶୀତ
ଜ୍ୟୋତ୍ସ୍ନା ବିଧୌତ ରଜନୀବି ଗାଏ
ଅଳସ ପଣର ଗୀତ ।