ଚଟିଘର
ଚଟିଘର
ସଂଜ ନଇଁ ଲେ ନିୟନ ଆଲୁଅ
ଜଳେ ତୁମ ଚଟି ଘରେ,
ପଥ ହୁଡି ଥିବା ପଥିକ ଟିଏ ମୁଁ
ତୁମକୁ ଆଶରା କରେ ।
ତୁମ ଇସାରାର - ପ୍ରୀତି ଅନୁରାଗ
ମୋ ପାଇଁ ତ ' ଥିଲା ବିଳମ୍ବିତ ରାଗ,
ସେ ଆଜି ଅତୀତ, ବିସ୍ମୃତିର ଚିତ୍ର -
ଦୂର କେଉଁ ଚକ୍ରବାଳେ ।
ଛନ୍ଦାୟିତ ତୁମ ନୂପୁର ସିଂଜନ
ମୋ ଶିରାରେ ଢାଳେ ପୁଲକ କମ୍ପନ,
ଛୁଇଁ ଚାଲିଗଲେ - ଫୁଲ ଫୁଟି ଯାଏ
ଏଇ ମନ ବଗିଚାରେ ।
ଥରିଲା ଓଠର - ଥିରି ଥିରି ଭାଷା
ଭରିଲା ଆଖିରେ ଭୁରୁ ଭୁରୁ ନିଶା
ନିରବିତ ହେଲେ - ଗୀତର ମୂର୍ଚ୍ଛନା
ତଥାପି ଏ ମନ ଝୁରେ ।
ଚୋରା ଚାହାଁଣିର ସୁରମା ପଲକ
ପ୍ରାଣରେ ଜଗାଏ - ବିଜୁଳି ଝଲକ ,
ବଢି ବଢି ଯାଏ - ହୃଦୟର ବେଗ
ପାହାନ୍ତିଆ ଆଲୁଅରେ ।
ଶ୍ରଦ୍ଧା ର ସହ
ଭକ୍ତ ଚରଣ ମଲ୍ଲ ।