କ୍ଷମା କରିବନି ମୋତେ
କ୍ଷମା କରିବନି ମୋତେ
ଆଜି କାହିଁ ଭାରି ମନ ହୁଏ ମୋର କହିବାକୁ ମୋ କଥା କେଇ ପଦ
କେଉଁ ଅଧିକାରେ କହିବି ମୁଁ କଥା ତେଣୁ ଲେଖି କରୁଛି ଅନୁରୋଧ
ଚାହିଁଲେ ପଢିବ ପୁରା ଚିଠି ମୋର ନଚେତ୍ ଚାହିଁଲେ ପଢିବ ନାହିଁ
ମୁଁ ଯେମିତି ସହେ ମୋର କର୍ମ ଫଳ ଚିଠି ବି ମୋହର ଯିବ ତା ସହି
ଚିଠି ମାଧ୍ୟମରେ ଲେଖୁଛି ମୋ କଥା ଆଗରୁ ହରାଇ ସାରିଛି ମୁହଁ
କହିଥିବ ନିଶ୍ଚେ ଦୁନିଆରେ କେଉଁ ଗୋଟିଏ ମଣିଷ ବିଶ୍ଵାସୀ ନୁହଁ
ଏ କଥାରେ ଦ୍ଵିଧା କେବେବି ନ ଥିଲା ସବୁ ଦୋଷ ଥିଲା ଏକା ମୋହର
ଯେଉଁ ମାଟି ଦୀପ ଜଳାଇ ଥିଲି ମୁଁ ନିଜେ କରିଲି ତାହା ଚୁରମାର
ସଜ ଫୁଲ ପରି ସଦା ହସୁଥିଲ ଥିଲା ପ୍ରେମ ତୁମ କି କମନୀୟ
ଅପରାଧ କଲି ନିଜେ ଜାଣି ଶୁଣି ସହସା ହୋଇଲି ଅକ୍ଷମଣୀୟ
ସୁନ୍ଦର ଯାମିନୀ ମଧୁର ଚାନ୍ଦିନୀ ସବୁ କିଛି ଥିଲା ଜୀବନେ ମିଠା
ଚୁମି ଯାଉଥିଲା ମିଠା ମିଠା ସ୍ମୃତି ପ୍ରେମ ଚାହାଣୀର ନୀରବ କଥା
ସେହି ସ୍ମୃତି ମାନେ ଆଜି ବି ଅଛନ୍ତି ହେଲେ ମାଲିକ ମୁଁ ନୁହେଁ ତାଂକର…….
ଉଦାସ ଆଖିରେ ଦେଖି ଚାଲି ଯାନ୍ତି ମତେ ନୀରବରେ ଅନେକ ଥର
ରାଣ ଖାଇଥିଲା କଲମର କାଳି ଲେଖିବ ପ୍ରେମର ଅମର ଗୀତି
ଧିକ୍ ଏ ଲେଖନୀ ଆଣିଲା ଜୀବନେ ଘନ କାଳିମା ଅନ୍ଧାର ରାତି
ବନ୍ଦନୀୟ ଯାହା ନିନ୍ଦନୀୟ ହେଲା ପାରିଲିନି ରଖି ଅକୁହା ରାଣ
ସବୁ ଦିନ ପାଇଁ ଗଲା ଭାଂଗି ମନୁ ପ୍ରେମର ଗର୍ବ ପ୍ରେମର ଟାଣ
ଏମିତି ଏମିତି ବିତି ସାରିଲାଣି ଅନେକ ବରଷ ଅନେକ ଦିନ
ଝରାଇଥିବ ଯେ କେତେ ତୁମେ ଅଶ୍ରୁ ବସି କରେ ତା’ ମୁଁ ଅନୁମାନ
ଯେଉଁ ଦିନ ତୁମ ମନ ଭାଂଗି ଦେଲି ଏମିତି ଅଚାନକ ଅକସ୍ମାତ
ସୁନ୍ଦର ତୁମର ମନ ଆକାଶରେ କରିଥିଲି ଜାଣି ଉଲକାପାତ
ବୁଝାଇ ଥିବ ଯେ ସଖୀ ସହଚରୀ ଭୁଲି ଯିବା ପାଇଁ ମନରୁ ମତେ
ତଥାପି ମନରେ ଉଂକି ମାରିଥିବ ଅତୀତର ସବୁ ଘଟଣା ଯେତେ
ହିଂସା ଘୃଣା ତୁମେ ସାଥୀ ଦେଇ ଥିବେ ପୋଛି ଦେବାପାଇଁ ମନରୁ ମୋତେ
ସାଥୀ ମୋର କିନ୍ତୁ କେହି ନାହିଁ ଏଠି ମନର ବୋଝରୁ ନେବାକୁ ମୁଠେ
ମନ ପ୍ରଭାବିତ କରିବିନି ତୁମ ଗଢିବିନି କିଛି ଗୋଟିଏ ତର୍କ
ପ୍ରସ୍ତୁତ ମୋ ମନ ଦୁଃଖିତ ହେବିନି ମିଳିଗଲେ ମତେ ଅଜଣା ନର୍କ
ନର୍କ ଦଣ୍ଡ ଯଦି ହେବ ପ୍ରାୟଶ୍ଚିତ ତାକୁ ମୁଁ ନିଶ୍ଚୟ ନେବି ଚୋରେଇ
ହେଲେ କେମିତି ମୁଁ ହଜିଲା ସପନ ପାରିବି ତୁମର ଦେଇ ଫେରାଇ
ମୁଁ କାହିଁ ସାଜିବି ନିଜର ଓକିଲ କାହିଁକି କରିବି ସ୍ଵପକ୍ଷେ ଯୁକ୍ତି
ଜଣାଇ ସାରିଛି ଏବେ ବି କହୁଛି ଲୋଡା ନାହିଁ ମୋର କେବେ ବି ମୁକ୍ତି
ସରିଯିବ ଦିନେ ବୟସର ଦାଉ ହୋଇଲେ ସଂଜର ସୁଆଗମନ
ଦୟା କ୍ଷମା ସବୁ ବଶ କରିନେବେ ତୁମର ନିରୀହ ସରଳ ମନ
ହୁଏ ତ ତୁମକୁ କହିବେ ବୁଝାଇ ଭୁଲିବାକୁ ସମସ୍ତ ପଛ କଥା
କିପରି ଭୁଲିବ ପ୍ରତାରଣା ମୋର ଦେଇଛି ଯା ତୁମ ମନରେ ବ୍ୟଥା
କ୍ଷମା କରିଦେଇ ଉଡି ଚାଲି ଯିବ କପୋତିନୀ ସାଜି ଆକାଶ କୋଳେ
ତୁମ ଯିବା ପଥ ଚାହିଁ ରହିଥିବ ଏହି ମିଛ ସାଥୀ ଆକାଶ ତଳେ