ଉଡିବା ଶିଖିଲା ପରେ..
ଉଡିବା ଶିଖିଲା ପରେ..
କିଚିରି ମିଚିରି ଶବ୍ଦର ଦୁର୍ବୋଧ୍ୟ ଭାଷାରେ
କଣ ଏମିତି କହୁଥିଲା ଯେ
ଡେଣା ଉଠିନଥିବା ସେଇ ଟିକି ପାରାଟି
ମା'ପାରା ଖୁସିରେ ଫୁଲେଇ ଦେଇ ପର
ଡେଣା ଝାଡ଼ି ଉଡିଯାଉଥିଲା ବସାରୁ ଦୂରକୁ
ଥଣ୍ଟରେ ସାଉଁଟି ଆଣି ଶସ୍ୟ ଦାନା,ପୋକ-ଜୋକ
ମୁହାଇଁ ଦେଉଥିଲା ତାକୁ ଏତେ ସରାଗରେ ?
ଏଇମାତ୍ର ଦୁଇମାସ ତଳେ,
ଡରି ଡରି ଥଂଟ ମାରିଥିଲା ମାଆ ପାରା
ନିଜ ଅଣ୍ଡାର ଶକ୍ତ ଖୋଳପା ଉପରେ
ପୁଞ୍ଜିଭୁତ ପ୍ରତ୍ୟୟକୁ ଏକଜୁଟ କରି।
ମନକୁ ତା ପାପ ଛୁଉଁଥିଲା
କାଳେ ଅଣ୍ଡା ଭାଙ୍ଗିଯିବା ପରେ
ଭାଙ୍ଗିଯିବ ତା'ଭିତରେ ତା'ର ସବୁ ସାଇତା ସପନ !
ମନ ପୁଣି ଶାନ୍ତ୍ୱନା ଦେଇ କହୁଥିଲା,
'ନା'ସେମିତି କିଛି ବି ହେବନି
ସବୁକିଛି ଠିକଠାକ ହେବ,
ଶୁଭଙ୍କର ହେବ ସବୁକିଛି।"
ଏତେସବୁ ଆଶା ଓ ଆଶଙ୍କା ଭିତରେ
କିନ୍ତୁ,ସେ ବେଶ ବୁଝିପାରୁଥିଲା
କେହିଜଣେ ବ୍ୟତିବ୍ୟସ୍ତ ହେଉଥିଲା
ଆଲୁଆକୁ ଆସିବାକୁ ଟିକେ,
ଆଉ,ତା'ପକ୍ଷର ଛତ୍ରଛାୟା ତଳୁ
ଲମ୍ବେଇ ଦେବାକୁ ଡ଼ରକୁଳା ଦୃଷ୍ଟି
ସ୍ୱପ୍ନିଳ ସମ୍ଭାବନାର ଦିଗ୍ବଳୟ ଆଡେ
ତା'ସାଥିରେ ଖଣ୍ଡିଉଡା ଦେଇ
ବିସ୍ତୀର୍ଣ୍ଣ ଆକାଶକୁ ମାପିବାକୁ ଥରେ।
ଦିନେଦିନେ,ଫେରିବାରେ ଟିକେ ଡେରି ହେଲେ,
ପାରାଛୁଆ ଭାରି ବ୍ୟସ୍ତହେଇ
ଅସମ୍ଭାଳ ଶବ୍ଦକରି ପିଟୁଥିଲା
ପର ବିହୀନ କଅଁଳ ଡେଣାକୁ ତା'ର
ଟିକିଟିକି କାଠିକୁଟା ତିଆରି ବସାରେ,
ବସାରୁ ଖସୁଥିଲା କାଠିକୁଟା,
ଶୁଖିଲା ମଳ ଓ ଅଣ୍ଡା ଖୋଳପାର ଟିକିଟିକି ଗୁଣ୍ଡ;
ବସାକୁ ନ'ଝାଡ଼ି ସାଇତିଥିଲା ସେ ଯାହାକୁ
କେବେଠାରୁ କେତେ ଯତନରେ।
ବସାକୁ ଫେରିଲା ପରେ,ମା'ପାରା
ଗୁମୁରି ଗୁମୁରି କିଛି ବୁଝାଉ ଥିଲା କି କଣ
ଶାନ୍ତହେଇ ଅଶାନ୍ତ ଶାବକ
ତା'ପରରେ ପରଛନ୍ଦି ଚଂଚୁରେ ଚଂଚୁ ଘଷୁଥିଲା।
ଛୋଟ ସେଇ ପାରା ବସାଟିରେ
ସ୍ୱର୍ଗର ସବୁଶିରି-ସବୁସୁଖ ଥିଲା।
ପକ୍ଷେ ତଳେ କୁନିପାରା
ଖଣ୍ଡିଉଡା ଦେଲା ଯେତେବେଳେ
ଭୋକଶୋଷ ଭୁଲିଯାଇ ମା'ପାରା
ଜଗୁଥିଲା ତାକୁ ଗୋଡେଗୋଡେ,
ଡରୁଥିଲା, ଉଡୁଉଡୁ ତଳେକେବେ ପଡିଯିବ କାଳେ।
ମମତାର ଦୁର୍ଭେଦ୍ୟ ବଳୟେ
ଚାହୁଁଚାହୁଁ ଦିନ କେଇଟାରେ
ଆପଣା ଡେଣାରେ ଆପେ ଉଡିବାର କଳା
କୁନିପାରା ଶିଖିନେଲା ଖୁଉବ ସହଜରେ।
କିଞ୍ଚିତ ଆଶ୍ୱସ୍ତ ହେଲା ମା'ପାରା ସେଇଦିନ
ଯେଉଁଦିନ କୁନିପାରା ଡେଣାଝାଡ଼ି ଆପେ ଉଡ଼ିଯାଇ
ନିଜକୁ ମିଶାଇ ଦେଲା ପଲପଲ ପାରାଙ୍କ ମେଳରେ,
ଶସ୍ୟ ଖୋଜି ନିଜେନିଜେ ଖାଇବା ଶିଖିଲା
ଆଉ, ବସାକୁ ଫେରିଲା ବିନା ସାହାରାରେ।
ସକାଳୁ ସକାଳୁ ଆଜି ସବୁକିଛି ଠିକଠାକ ଥିଲା-
କୁନିପାରା କାଲିପରି ଆଜିବି ବସା ଛାଡିଥିଲା,
ମା'ପାରା ବି ତା'ସାଥିରେ ନିଜେ ଯାଇଥିଲା,
ଦିନଟା କଟିଥିଲା ପରମ ଖୁସିରେ
ହେଲେ,ନୀଡ଼ ବାହୁଡା ବେଳେ
ଭୂଇଁ ଛାଡି ଉଡିବା ଉତ୍ତାରେ
କୁନିପାରା ଉଡ଼ିଲାନି ତା'ସାଥିରେ-
ଉଡ଼ିଗଲା ଭିନ୍ନ ଦିଗନ୍ତକୁ;
ସାଥିରେ ତା ଉଡୁଥିଲା ଆଉଗୋଟେ ପାରା,
ଦୁହେଁମିଶି ମାପୁଥିଲେ ସାରା ଆକାଶକୁ
ଦୃଷ୍ଟିପଥ ଲମ୍ବିଥିଲା ଦିଗ୍ବଳୟ ଆଡେ
ଯେଉଁଠୁ ଅନ୍ଧାର ଆସେ ସଞ୍ଜ ନଇଁବା ପରେ।
ଏଇତ,ଏବେ ମଧ୍ୟ ଗୁମୁରୁଛି ପାରା;
ବସାକୁ ଯାଉନି ଏଯାଏ, ଅନ୍ଧାର ହେଲାଣି ଆସି,
ବୁଝେଇ ପାରୁନି ନିଜକୁ- ନିଜର ଅନ୍ଧ ମାତୃତ୍ୱକୁ,
"ମମତା ଅଲୋଡ଼ା ହୁଏ ଉଡିବା ଶିଖିଲା ପରେ !!!"
====©====
ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)
ହରସିଂହ ପୂର,ପୀରହାଟ ବଜାର
ଭଦ୍ରକ-୭୫୬୧୩୧
-----------------
ପ୍ଲଟ ନଂ-୩୪୨,ସେକ୍ଟର୍-୫
ନିଳାଦ୍ରୀ ବିହାର,ଭୂବନେଶ୍ୱର-୨୧
୯୯୩୭୫୪୮୪୩୧ ଓ ୯୩୪୩୮୬୭୦୧୨୦