ଶୀତରେ ଗରିବୀ
ଶୀତରେ ଗରିବୀ
କିଏ ତୁ କାହିଁକି ବସିଛୁ ଏଇଠି
ଜାଣୁ କି ଦୁନିଆ ମନ୍ଦ
ରାତି ତ ହେଲାଣି ଯିବି ମୁଁ ଘରକୁ
ଦୋକାନ କରିବି ବନ୍ଦ ।
ଦେଖୁଛି କୋଳରେ ଶିଶୁପୁତ୍ର ଘେନି
ଶୀତରେ ଯାଉଛୁ ଥରି
କେମିତି କହିବି ଚାଲି ଯା' ଏଇଠୁ
ଦିଶୁ ବେସାହାରା ପରି ।
ସୁଖଦୁଃଖର ଏ ସଂସାର ଭିତରେ
ଧନୀଠୁ ଗରିବ ବେଶି
କିପାଇଁ ଦଇବ ଅଧିକ ଲୋକଙ୍କୁ
ଅଭାବେ ଦିଅଇ ପେଷି ?
ରାତି ସାରା ଯଦି ଏଠାରେ ରହିବୁ
ପାରିବୁ କି ଶୀତ ସହି
ହାଡ ଥରୁଛି ଲୋ କୋହଲା ପବନ
ମାରୁଅଛି ରହି ରହି ।
ଚିରାଫଟା ଖଣ୍ଡେ ଲୁଗା ତ ପିନ୍ଧିଛୁ
ପିଲା ବି ଥରୁଛି ସାଥେ
ଛିଣ୍ଡା ପଣତରେ ଘୋଡେ଼ଇ ରଖିଥା'
ଆଉଁଷି ପୁଅର ମାଥେ ।
ଗରିବୀ ଜ୍ବାଳାରେ ପାଟି ବି ଖୋଲୁନି
ଖାଇଛୁ କି ନାହିଁ କହ
ପିଣ୍ଡାର କୋଣରେ ବସି ତୁ ରହିଥା'
ଘରୁ ମୁଁ ଆସୁଛି ରହ ।
ପୁରୁଣା କମ୍ବଳ ଅଛି ମୋ ସମ୍ବଳ
ମାନ୍ଧାତା ଯୁଗର ବୁଣା
ଆଣିଦେବି ରହ ସେଥିପାଇଁ ଆଉ
ମନ ନକରିବୁ ଊଣା ।
ଖାଇବା ପାଇଁ ତୋ' ଥିବ କିଛି ଯଦି
ପଚାରି ବୁଝିବି ଘରେ
ସାମାନ୍ୟ ଲୋକ ମୁଁ ଜଞ୍ଜାଳ ଘେରରେ
ନିତି ଯୁଝି ଯୁଝି ମରେ ।
ଜୀବନ ଯାତନା ଦେଖିଛି ବହୁତ
ଅଜଣା ତୋ ପରିଚୟ
ତଥାପି କହିବି ଜୀବନ ଯୁଦ୍ଧରେ
ହାରିବାର ନାହିଁ ଭୟ ।
ନିରାପଦେ ଏଠି ରାତିଟି କଟାଇ
ଶୋଇ ଯା' ସକାଳ ଯାଏଁ
କାଲିର କଥାକୁ କାଲିକି ଦେଖିବା
ଉପାୟ ମିଳିବ ଛାଏଁ ।
ପ୍ରସନ୍ନ କୁମାର ମାଦଳା