ପୁରୁଷୋତ୍ତମ ଦେବ(26)
ପୁରୁଷୋତ୍ତମ ଦେବ(26)
ପୁରୁଷୋତ୍ତମ (26)
(ଐତିହାସିକ କାବ୍ୟାଂଶ)
ପ୍ରଭୁଙ୍କର ରତ୍ନ ମୁଦ୍ରିକା ଉପରେ
ଦେଖି ଶଙ୍ଗ ଚକ୍ର ଚିହ୍ନ,
ବାରମ୍ବାର ହୃଦେ ଲଗାଇ ମଥାରେ
ଛୁଆଁଇଲେ ନରରାଣ।
"ନିସ୍ତରିଲି ନିସ୍ତରିଲି ପ୍ରଭୁ" କହି
ଲୁହ ଯାଉଥାଏ ଝରି,
ବାତୁଳ ପରାୟେ ହେଲେ ଗଜପତି
ପ୍ରଭୁ କୃପା ଝୁରି ଝୁରି।
ମାଣିକକୁ ଚାହିଁ ବୋଇଲେ "ଯାହାକୁ
ଦେଖିଲୁ ତୋ ନିଜ ଡୋଳେ,
କୋଟିଜନ୍ମ ତପସ୍ୟାରେ ଦେବତାଙ୍କୁ
ସେ ରୂପ ଦେଖାନମିଳେ।
ନିଜେ ବ୍ରହ୍ମା ହର ହୁଅନ୍ତି ଆତୁର
ଦର୍ଶନ ପାଇବା ପାଇଁ,
କେଉଁ ଭାଗ୍ୟବଳେ ମାଣିକ ତୁ ଡୋଳେ
ଦେଖିଲୁ ବ୍ରହ୍ମାଣ୍ଡସାଇଁ !
ନୋହୁ ତୁ ସାମାନ୍ୟ ଗୋପାଳୁଣୀ ,ତୁହି
ଅଟୁ ଦେବଙ୍କ ଆରାଧ୍ୟା,
ଧନ୍ୟ ତୋର ଭାଗ୍ୟ ପାଇଲୁ ପ୍ରଭୁଙ୍କ
ବାତ୍ସଲ୍ୟ ପ୍ରେମର ସୁଧା।"
ଶୁଣି ଏ ବଚନ ,ମାଣିକର ତନୁ -
ମନ ହେଲା ଉଲ୍ଲସିତ,
ଯେଉଁଠାରେ ପ୍ରଭୁ ବସିଥିଲେ ତହିଁ
ମିଳିଲା ଯାଇ ତୁରିତ।
ସେ ମାଟିର ଧୂଳି ଦେହେ ହେଲା ବୋଳି
"ମୋ ଜଗା ବଳିଆ" କହି,
'କେଡେ ଭାଗ୍ୟ ମୋର ,ଜଗତ ଠାକୁର
ମୋ ହାତୁ ଖାଇଲେ ଦହି !"
ପ୍ରସାଦ ବିଚାରି ଦହି ହାଣ୍ଡି କୋରି-
ଖାଉଥାଏ, କାନ୍ଦୁଥାଏ,
ସ୍ତବ୍ଧ ହୋଇ ସୈନ୍ୟ ବାହିନୀ ରହିଲେ
ମୁଖେ କା' ଭାଷା ନଥାଏ।
ଯେଉଁ ସ୍ଥାନେ ପ୍ରଭୁ ଖାଇଥିଲେ ଦହି
ତୋଳାଇ ତହଁ ନଗର,
'ମାଣିକ ପାଟଣା' ଗଡ ସ୍ଥାପିବାକୁ
ଆଜ୍ଞାଦେଲେ ନରବର।
ଫୁଲମାଳ ଦେଇ ମାଣିକ ଗଳାରେ
ପୂଜା କରନ୍ତି ସରବେ ,
ବାଉଳି ହୋଇ ସେ ଦରାଣ୍ଡି ଖୋଜଇ
ତାର ହଜିଲା ଦରବେ।
ବୋଇଲେ ରାଜନ "ତୋନାମେ ଏ ସ୍ଥାନ
ହେଲା 'ମାଣିକ ପାଟଣା',
ଦଶଖଣ୍ଡ ଗ୍ରାମ ଜାଗିରୀ ଭୋଗିବୁ,
ଏହି ତୋ ଦହି ପାଉଣା।"
ବହୁ ସମ୍ବର୍ଦ୍ଧନା ଦେଇ ମାଣିକର
ସ୍ୱାମୀକୁ ତହିଁ ଆଣନ୍ତେ,
କାନ୍ଦ କାନ୍ଦ ହୋଇ ବେହେରା ପଚାରେ
"କି ଦୋଷ କଲି ମୁଁ ସତେ ?"
ମୋର ବେହେରାଣୀ ସେ ମୂର୍ଖ ରମଣୀ
କରିଥିବ କିଛି ଦୋଷ,
ପାଦ ଧରି କ୍ଷମା ମାଗୁଛି ତାପାଇଁ
କୋପ ନକର ନରେଶ।"
ବେହେରା ସରଳ ବ୍ୟବହାର ଦେଖି
ନୃପତି ହୋଇଲେ ପ୍ରୀତ,
କହିଲେ "ବେହେରେ ! ଆଜିଠାରୁ ତୁମ୍ଭେ
ଗଜପତିଙ୍କର ମିତ୍ର।
ହେ ବେହେରା ପୁଅ ! ସାମାନ୍ୟ ରମଣୀ
ନୁହେଁ ତୁମ୍ଭର ଘରଣୀ,
ଯା ହାତରୁ ଦୁଧ ଦହି ଖାଇଛନ୍ତି
ବଳରାମ ଚକ୍ରପାଣି ।
ସ୍ୱଦେହେ ଯାହାକୁ ଦେଖା ଦେଇଛନ୍ତି
ଅଖିଳ ବ୍ରହ୍ମାଣ୍ଡ ସାଇଁ ,
ଭକତଙ୍କ ଶୀରୋମଣୀ ସେ ରମଣୀ,
ତାପରି ଭକତ କାହିଁ ?
ଗୋପାଳ ଶୁଣିଲା ବିଶ୍ୱାସ ନୋହିଲା,
କହିଲା "ଏ ପରିହାସ -
କାହିଁକି କରୁଛ ହେ ମଉଡମଣି !
ମୁଁ ତୁମ୍ଭ ଦାସାନୁଦାସ।
ବଡ ସରଳ ମୋ ମାଣିକ,ଅଜ୍ଞାନେ
କଲା ଯେବେ ଅପରାଧ,
ମୁଣ୍ଡ ରଖ ପ୍ରଭୁ ଜୀବ ଥିବାଯାଏ,
ସେବିବି ଛାମୁଁଙ୍କ ପାଦ।"
ପାତ୍ର ମନ୍ତ୍ରୀ କେତେ ବୁଝାଇ କହନ୍ତେ
ବୁଝିଲା ଶେଷେ ବେହେରା,
ନିଜ ଘରଣୀର ମହାଭାଗ୍ୟ ଦେଖି
ହୋଇଗଲା ଆତ୍ମହରା।
କ୍ରମଶଃ- ----