ଦୁହିତା
ଦୁହିତା
ହାତେ ନାଲିଶଙ୍ଖା ପାଦରେ ଅଳତା
ମଥାରେ ଟାଣି ଓଢଣୀ
ବାପଘର ଛାଡି ଚାଲିଯିବୁ ଝିଅ
ସାଜି ଆଉ କାହା ଘର ରାଣୀ ।
ଶାଶୁ ଶଶୁରଙ୍କୁ ଭକତି କରିବୁ
ଛୋଟଙ୍କୁ କରିବୁ ଆପଣା
ସ୍ନେହ ବଦଳରେ ସ୍ନେହ ପରଶିଲେ
ପରବି ହୋଇବେ ଆପଣା ।
ଦୁହିତା ପରାଲୋ ଦୁଇକୁଳ ହିତା
ବୁଝି ସୁଝି କାମ କରିବୁ
ସ୍ନେହ ପୀରତିରେ ସମସ୍ତଙ୍କୁ ବାନ୍ଧି
ଜଗତ ଟାକୁ ତୁ' ଜିଣିବୁ ।
ଓଢଣୀଟି ତୋର ଅଟଇ ଶାସ୍ବତ
ରଖିବୁ ତାହାର ମାନ
କଟୁକଥା କହି କେବେ ହେଲେ କା'କୁ
କରିବୁନି ଅପମାନ ।
ବାପାର ଗୌରବ ସ୍ବାଭିମାନ ଥାଏ
ତା'ଝିଅ ପଣତ ତଳେ
ଝିଅଟିଏ ଜଦି ସୁନାମ ଅର୍ଜଇ
ବାପା ଛାତି ଗର୍ବେ ଫୁଲେ ।
ବିନମ୍ରତା ଆଉ ସମ୍ଭ୍ରମ ହୋଇଲେ
ବଢିବ ମାଆର ମାନ
ଏତିକି ଯଦି ତୁ' କରିବୁଲୋ ଝିଅ
ମା' ସଂସ୍କାର ହେବ ମହୀୟାନ ।
ଯାହା ହାତ ଧରି ଏରୁଣ୍ଡି ଡେଇଁଲୁ
ସିଏ ହେଲା ତୋର ଆପଣା
ଯେଉଁଠାରେ ତୋର ସବାରୀ ରହିବ
ସିଏ ହେବ ତୋର ଠିକଣା ।
ଦୁହିତା ପରା ତୁ' ଦୁଇକୁଳ ହିତା
ରଖିବୁ ସଭିଙ୍କ ମାନ
ବଡ ମାନଙ୍କର ଆଶିର୍ବାଦ ନେଇ
ସାଂସାରିକ ଜୀବନେ ଦେବୁ ତୋ' ଧ୍ୟାନ।
~ମମତା ମଞ୍ଜରୀ ଦାସ ~
ପ୍ରେସ କଲୋନୀ ,ନୂଆପଡା,କଟକ