ବର୍ଷା ଉପରେ ଅଭିମାନ
ବର୍ଷା ଉପରେ ଅଭିମାନ
ବର୍ଷାରେ ଭିଜି ନଥିବା ପରି ମଣିଷଟେ ବୋଧ ହୁଏ ସୃଷ୍ଟିରେ ନାହିଁ |
କିନ୍ତୁ ମୁଁ ହତଭାଗା , କେବେ ଡେଟିଙ୍ଗରେ ଗଲା ବେଳେ ବର୍ଷା ହୁଏନି |
ବିଜୁଳି ମାରେ , ଘଡ ଘଡି ବି ହୁଏ ,
କେହି ଜଣେ ଚମକି ପଡି ଛାତିରେ ବାଡେଇ ହେଇଯାଏ |
କିନ୍ତୁ ବର୍ଷା ହୁଏନି |
ଯୋଉ ଦିନ ବର୍ଷା ପାଇଁ କବିତା ଟିଏ ଲେଖି ବସେ ,
ଠିକ୍ ସେଇ ଦିନ ବର୍ଷା ହୁଏନି |
ଶ୍ରାବଣର ବର୍ଷା ତ ବୋଲବମ୍ ଭକ୍ତଙ୍କ ପାଇଁ |
ଆଷାଢ଼ର ବର୍ଷା ତ ଚାସବାସ ପାଇଁ |
ଆଉ ମୁଁ ?
ମୋ ପାଇଁ ?
ଯାହାର ପ୍ରେମ ପାଇଁ ,ଯନ୍ତ୍ରଣା ପାଇଁ
ଉନ୍ମାଦନା ପାଇଁ , ମୁକ୍ତି ପାଇଁ ,ମାଦକତା ପାଇଁ ଖାଲି ଦରକାର୍ ବର୍ଷା ଆଉ ବର୍ଷା |
ମଣିଷ ତ ବୟସର ପରିସୀମାକୁ ରୋକି ପାରିବନି ,
କୌଣସି କାଗଜ ଡଙ୍ଗାର ଦୁନିଆ ପାଇଁ |
କୋଉ ମନ୍ତ୍ର ଆଉ ତନ୍ତ୍ରର ଥାଳ ନେଇ ଭିକ୍ଷା କରିବା ମତେ ପସନ୍ଦ ନୁହେଁ |
ମୁଁ ଚାହେଁ ବର୍ଷାର ପାଦରେ ପାଉଁଜି ଥାଉ |
ଖାଲି ପାଉଁଜି ନୁହଁ ଅଳତା ବି ଥାଉ |
ମତେ ଭିଜେଇବା ପୁର୍ବରୁ ମୋ ଅଗଣାକୁ ଭିଜେଇ ଦଉ |
ମୋ ଝରକା କଣରୁ ମତେ ଦେଖେଇ ଦଉ ତା ଗୋରା ଦେହ |
ଯଦି ଏମିତି ସବୁ ସର୍ତ ରେ ବର୍ଷା ରାଜି ହୁଏ ତାହେଲେ ମୁଁ ବି କଥା ଦଉଛି
ଭୁଲି ଯିବି ସବୁ ବୃଥା ଅଭିମାନ ,
ଆଉ କେବେ ବି ଧରିବିନି ଛତାଟିଏ ଶେଷ ବର୍ଷା ରାତି ଯାଏଁ |