ଅସହ୍ୟ ରିକ୍ତତା
ଅସହ୍ୟ ରିକ୍ତତା
ନିଜକୁ ନିଜଠୁ ଅଲଗା କରିଛି
ଦେହରୁ କାତି ମୁଁ ଛଡାଇ ସାରିଛି
ଆଲୁଅ ଖରା ଏବେ ପୋଡି ମାରୁଛି
ତୁମ ରିକ୍ତତା ମୋତେ ଅନ୍ଧାରକୁ ଠେଲି
ଏକାକିତ୍ବର ଘୃଣପୋକ ଭିଡାଇ ସାରିଛି
ପ୍ରେମ ଓ କରୁଣା ଦୁର୍ବିସହ ଲାଗୁଛି
ଯାତନାର ବଗିଚାରେ ଦେଖ
କାହା ଛାଇରେ ମୁଁ ଆଶ୍ରିତ ହୋଇଛି
ତପ୍ତକାୟ ଜ୍ବାଳାରେ ଜଳି ଜଳି ଯାଉଛି ।
ସେଇ ରୂପଗନ୍ଧ ସ୍ବପ୍ନମୟୀ ପ୍ରତିଛବି
ସ୍ନେହସିକ୍ତ ଅଣୁନିସୃତ ସୁଗନ୍ଧ
ବାସ୍ନାମୟୀ ତନ୍ମୟୀ ପ୍ରୀତି ପ୍ରତିମା
ଶବ୍ଦର ଝଂକୃତ ନୃତ୍ୟରତା ତନୁକମ୍ପନ
ଦୃଶ୍ୟାନ୍ତର ହୋଇ ନିଜସ୍ବ ଭୂମିକାରେ
ମଗ୍ନ କରେ ଆତ୍ମଦାହର ପୀଡନରେ
ଶୁଭେ ନାହିଁ ତୁମ ପ୍ରଗଳ୍ଭ ଫଣୀ ଫୁତ୍କାର
ଖୋଜି ବୁଲେ ତମସାର ଗହ୍ଵରେ ବିବରେ
ଅପରୂପା ରହସ୍ୟମୟୀ ସାଥୀ ମୋର ।
ତୁମେ ତ ରହିଛ ଯାଇ ଭିନ୍ନ ପୃଥିବୀରେ
ପାତାଳ ବିଭବର ଅତଳ ବିଳରେ
ମନେ କି ନପଡେ ପୂର୍ବ ଶିହରଣ
ନିମିଷକେ ହୋଇଥିଲେ ଆତ୍ମବିଭୋର
ଯୁଗଳ ଛନ୍ଦର ରାସ ରଚି ରଚି,
ଆସି ଦେଖ କାନ୍ତି ନବଯୌବନର
ସୁବର୍ଣ୍ଣ ଚମକ ଓ ନବୀନ ପ୍ରଭାର ସଂକଳ୍ପ
ନ କରୁ ଅଧୀର କା'ର ପଦ୍ମତୋଳା ରାଗ
ଅସହ୍ୟ ଏ ରିକ୍ତତା ସୁହାଗ ସରାଗର ।
ପ୍ରସନ୍ନ କୁମାର ମାଦଳା