ପୁରୁଷୋତ୍ତମ ଦେବ 9
ପୁରୁଷୋତ୍ତମ ଦେବ 9
ପୁରୁଷୋତ୍ତମ ଦେବ
(9)
(ଐତିହାସିକ କାବ୍ୟାଂଶ)
---------------------------
କୁମାରଙ୍କ ପାଶେ ମନ ବନ୍ଧାରଖି
ସ୍ୱପ୍ନପରୀ ରୂପାମ୍ବିକା,
ଫେରନ୍ତେ ନବରେ ପୁରୁଷୋତ୍ତମଙ୍କ
ମନ ପଡିଗଲା ଫିକା।
ଶୟନେ,ସ୍ୱପନେ,ଜାଗରଣେ ସଦା
ଘାରିହୋଇଲେ କୁମାର,
ଘାରିଲା ମନକୁ ପୁଷ୍ପଧନୁ ତୀକ୍ଷ୍ଣ
ପଞ୍ଚ ଶରର ପ୍ରହାର ।
ରୂପାମ୍ବିକା ରୂପ-ଲାବଣ୍ୟ ନଦୀରେ
ସ୍ନାନ କରି ରାଜପୁତ୍ର,
ଭାବିଲେ ଜୀବନ କେଡେ ମଧୁମୟ,
ସୁଧାମୟ କି ଅମୃତ !
ଦେହ ସିନା ଥିଲା ରାଜନବରରେ,
ମନ କାବେରୀ କୂଳରେ,
ବୀଣାଜିଣାଭାଷୀ ବାଣୀ ପ୍ରତିଧ୍ୱନୀ
ହେଉଥିଲା ହୃଦୟରେ।
ଭାସିଯାଉଥିଲା ଆଖିଆଗେ ଅଙ୍ଗ-
ଲାସ୍ୟ,ହସର ଝରଣା,
ଶତ କଦମ୍ବର ରୋମାଞ୍ଚ ଜାଗିଲା
ମନ ହେଲା ବାଟବଣା।
ଆଖି ବୁଜିଦେଲେ ଜେମା ଦିଶୁଥିଲେ,
ଖୋଲିଲେ ହେଲେ ଅଦୃଶ୍ୟ,
ସ୍ୱପନରେ ଆସି ସପନ ସୁନ୍ଦରୀ
ବସୁଥିଲେ ତାଙ୍କ ପାଶ।
ପୁଷ୍ପିତ ଉଦ୍ୟାନେ ଅନାଇଁ ପୁଛନ୍ତି
"ମନେ ଅଛୁ ଗର୍ବକରି?
ମୋ ପ୍ରିୟା ତ ସ୍ୱୟଂ ଫୁଲର ଉଦ୍ୟାନ,
ତା ସଙ୍ଗେ ହେବୁକି ସରି?
ମୋ ପ୍ରିୟା ଓଠରୁ କଥାଛଳେ ଝରି-
ପଡନ୍ତି ମଲ୍ଲୀ ମାଳତୀ,
ଚମ୍ପକ ବରଣୀ ମୋ ପ୍ରିୟା ସହଜେ
ଧରିଅଛି ଚମ୍ପା କାନ୍ତି।
ପଦ୍ମଗନ୍ଧ ଭାସିଆସେ ମୋ ପ୍ରିୟାର
ପ୍ରିତି ସରୋବର ଛୁଇଁ,
ସହଜେ ତ ପଦ୍ମକଳୀ ସମ ବାମା
କୁଚଯୁଗଳ ଶୋଭଇ।
ସୁଗନ୍ଧରାଜର ଶୁଭ୍ର ଜ୍ୟୋତିର୍ବାସ
ଅଟେ ମୋ ପ୍ରିୟାର ମନ,
ରକ୍ତ କରବୀର ତାର ଓଷ୍ଠଧାର
ସେ ମୋ ଫୁଟିଲା ଉଦ୍ୟାନ।"
ଏଣେ କାବେରୀର ତଟ ରାଜୋଦ୍ୟାନେ
ବିରହବିଧୁରା ବାମା,
ତଟିନୀ ସେପାରେ ଚାହୁଁଥିଲେ ଅପଲକ
ନେତ୍ରେ ରାଜଜେମା।
ମନର କପୋତୀ ବିଦ୍ଧ ହୋଇଥିଲା
କୁମାରଙ୍କ ପ୍ରିତିବାଣେ,
ସଖୀସଙ୍ଗ ଆଉ ନଲାଗିଲା ସୁଖ
ଏକା ବୁଲନ୍ତି ଉଦ୍ୟାନେ।
କୁମାରଙ୍କ ସୁଗଠିତ ଦୀର୍ଘବପୁ
କମନୀୟ ରୂପକାନ୍ତି,
ମଧୁମୟ ଭାଷ,ସୁଧାମୟ ହସ
ଜେମା ଭୁଲି ନପାରନ୍ତି।
ଉଦ୍ୟାନ ମନ୍ଦିରେ ଶିବ ପୂଜାକରି
ଚଢାଇଲେ ଲକ୍ଷେ ଚମ୍ପା,
ବୋଇଲେ "ପ୍ରଭୁହେ ! କିଛି ଲୋଡାନାହିଁ
କର ଏହି ଅନୁକମ୍ପା ।
ଉତ୍କଳର ରାଜକୁମାର ମୋହର
ହୁଅନ୍ତୁ ଗଳାର ହାର,
ଜୀବନସାରା ଏ ଦାସୀ ଚଢାଇବ
ମନ୍ଦିରେ ଚମ୍ପକ ହାର।"
କ୍ରମଶଃ- ---