ଅମୃତ ଫଳ
ଅମୃତ ଫଳ
ନୃସିଂହ ପ୍ରସାଦ ପଣ୍ଡା
କଳା ସାଇବ
କଃ କେବେ ଫଳିବ
ଅମୃତ ଫଳ ସ୍ଵାଧିନତାର ?
ସିନ୍ଦୁରା ଫାଟିବାକୁ
ଆଉ କେତେ ରାତି ବାକି ? ?
କାହା ଏ ଛାତିରୁ
ଆଉ କେତେ ରକ୍ତ ନିଗାଡ଼ିବାକୁ ହେବ
ତମ ଅଦୃଶ୍ୟ ପଞ୍ଝାରୁ
ଏ ମାଟିରେ ଫୁଟି ଉଠୁଥିବା ଜୀବନଟିକକୁ
ମୁକୁଳାଇ ନେବାକୁ ? ?
ଏଇ ମାଟିର ମଣିଷ
ଆଜି ସର୍ବହରା, ଶୋଷିତ, ନିର୍ଯ୍ୟାତିତ,
ସିଏ କେଉଁ ଅଦୃଶ୍ୟ ହସ୍ତର ସଖୀ କଣ୍ଢେଇ ॥
ତା ଜଙ୍ଗଲ –ଜମି ନିଃସର୍ଗ ପ୍ରକୃତି
କେଉଁ ସାହୁକାର, ସୁଧଖୋର ମହାଜନ,
ବାବୁଭାୟାଙ୍କ ଇଙ୍ଗିତ କ୍ରମେ ହାତଛଡା ଆଜି l
କେଉଁ ସଭ୍ୟ ମଣିଷ
ତା’ ପରିପୁଷ୍ଟ ଜୀବନର ସନ୍ତୋଷଟିକକ
ଲୁଟିନେଲା ସବୁଦିନ ଲାଗି ।
ପାହାଡ଼ି ଝରଣା ଭଳି ଚଳ ଚଳ ଜୀବନ ତା’ର
ଆଜି ନୀରବ ନିସ୍ପନ୍ଦ ।
କାହାର ବା ଯାଏ ଆସେ କେତେ ?
କୁପୋଷଣ –ଦାରିଦ୍ର୍ୟ –ଅନାହାର ବୋଝ ତଳେ
ସିଏ ଚିର ନିଷ୍ପେସିତ ।
ନଗଡ଼ାର ବର୍ଦ୍ଧିଷ୍ଣୁ ଶିଶୁ ମୃତ୍ୟୁ
ମାତ୍ର ଏକ ଘଟଣା,
କନ୍ଧମାଳ ଗୁମୁଡୁମାହର
ନିରୀହ ଜନଜାତିଙ୍କ ହତ୍ୟା ଏକ ଦୁର୍ଘଟଣା,
ଆଉ ସର୍ବୋପରି
ମାଲକାନଗିରି ଜାପାନୀଜ୍ଵର, ଏକ ମର୍ମନ୍ତୁଦ ମଡ଼କ l
ପତ୍ନୀର ମଳାଶବ ପିଠିରେ ଲଦି ଗାଁ ମୁହାଁ ଦୌଡୁଥିବା
ଦାନମାଝି ନିଷ୍ପେସିତ ମଣିଷର ଚିତ୍ର /ଚରିତ୍ର l
ସବୁଦିନ ଭଳି ଆଜି ବି ମହକି ଉଠେ ମଲ୍ଲୀ
ଦିଲ୍ଲୀର ଗାଳି ଉପଗଳିରେ,
ଭୁବନେଶ୍ଵର ସ୍ମାର୍ଟ ସିଟି ହସରେ ଫାଟିପଡ଼େ ॥
କହିପାରିବ କଳା ସାଇବ
ପାହାଡ଼ ଜଙ୍ଗଲ ଘେରା ନିଜ ଭିଟା ମାଟିରେ
ଉଦ୍ ବାସ୍ତୁ ସାଜିଥିବା ଏଇ ମଣିଷମାନଙ୍କ
ଲିଭି ଲିଭି ଆସୁଥିବା ଜୀବନ ଦୀପ
ପୁଣି କେବେ ଜଳି ଉଠିବ ? ?