Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Inspirational Others

4.7  

Kali Kumar

Inspirational Others

ଦାଦନ ସାଜୁଛୁ କାହିଁ

ଦାଦନ ସାଜୁଛୁ କାହିଁ

1 min
761


ଘର ଛାଡ଼ି କାହିଁ   ଦୂର ଦେଶ ଯାଉ

    ଅର୍ଥ ଉପାର୍ଜନ ଆଶେ,

ଦୂର ଦେଶ ସେତ  ଦୂର ପାହାଡ଼ଟି

     ଅତିବ ସୁନ୍ଦର ଦିଶେ ।

କେତେ ଖାଲ ଢ଼ିପ କେତେ ଉଚ୍ଚ ନୀଚ

    ସେ କଥା କାହୁଁ ବୁଝିବୁ,

ପାହାଡ଼ ରହସ୍ୟ  ସେବେ ତୁ ବୁଝିବୁ

   ସମୀପ ଯେବେ ତୁ ହେବୁ ।

ମାଟିରେ ତୋହର   ସୁନା ଫଳୁଅଛି

   ପାସୋରି ଦେଲୁ କି ମନୁ,

ସେସବୁ ସୁନା ଯେ   ପିତଳ ସାଜିବ

   ତୋର ପରିଶ୍ରମ ବିନୁ ।

କାମ କାମ କହି  ଯା' ସାଥେ ଯାଉଛୁ

    ସେ ଅଟେ ତୋହର ଶତ୍ରୁ,

ରୋଜଗାର ପାଇଁ   ଦାନନ ସାଜୁଛୁ

    ଭୁଲି ପ୍ରେମ ମାତୃ ପିତୃ ।  

ଦାଦନଟି ତୋର   ନୁହେଁ ଆପଣାର

    ଭୃତ୍ୟଠୁ ହୀନ ଜୀବନ,

ସ୍ୱାଧୀନତା ତୋର  ଲୁପତ ହୋଇବ

   ଆକୁଳେ କାନ୍ଦିବ ପ୍ରାଣ ।

ଦିବା ନିଶି ତୋର   କର୍ମ କଷଣକୁ

   ଆଖିରେ ନ ଦେଖେ କେହି,

ମେରୁହାଡ଼ ତୋର   କାଣ୍ଡ ପାଲଟିବ

   କାର୍ଯ୍ୟ ଭାର ସହି ସହି ।

ଶ୍ରମ ବିକ୍ରି କରି   ଅର୍ଥ ଆଶା ଧରି

    ଶୋଷଣ ଚକ୍ରେ ଫସିବୁ,

ତିଳ ତିଳ ହୋଇ  ଶୋଷଣ ଘଣାରେ

    ପ୍ରତି ମୁହୂର୍ତ୍ତ ପିସିବୁ ।

ପିଠିରେ ତୋହର  ଚାବୁକ ପ୍ରହାର

  ନୁହେଁ ତୋର ତାହା ଭୋଗ୍ୟ,

ଶ୍ରମ ବଦଳରେ   ଯାହା ତୋତେ ମିଳେ

   ସେ ଅଟଇ ତୋ ଦୁର୍ଭାଗ୍ୟ ।

ଦୂଷିତ ଅଞ୍ଚଳେ  ଭଙ୍ଗା ଚାଳ ତଳେ

    ସ୍ୱପ୍ନେ କଳଙ୍କି ଲାଗଇ,

ଆତୁର ପ୍ରାଣରେ  ବିକଳ ଚିତ୍କାରେ

     କୋହକୁ ଓଠ ପିଅଇ ।

ଜୀବନ ଡଙ୍ଗାରେ  ଛିଦ୍ର ତୁ କରୁଛୁ

    ଜ୍ଞାତ ଅଜ୍ଞାତ ସାରରେ,

ସଂସାର ସାଗରେ  ଛିଦ୍ର ଡଙ୍ଗାଟିରେ

    କେହି କଣ ନଦୀ ପାରେ ? ।

ନିଶ୍ଵାସ ତୋହର   ବଦ୍ଧା ପଡ଼ିଯାଏ

   ଅତ୍ୟାଚାରୀଙ୍କର ପାଶେ,

ଭବିତବ୍ୟ ଗୋଟି  ଅମା ଶର୍ବରୀର

   ମଲା ଜହ୍ନ ପରି ଦିଶେ ।

ଘର ଛାଡ଼ି କାହିଁ   ଦୂର ଦେଶ ଯାଉ

    ଅର୍ଥ ଉପାର୍ଜନ ଆଶେ,

ଦୂର ଦେଶ ସେତ  ଦୂର ପାହାଡ଼ଟି

     ଅତିବ ସୁନ୍ଦର ଦିଶେ ।


Rate this content
Log in

Similar oriya poem from Inspirational