ଜୀବନ
ଜୀବନ
ସଂଧ୍ୟାର ପ୍ରଦୀପ ଲିଭି ଲିଭି ଆସେ ସରି ସରି ଆସେ ଜ୍ୟୋତି
ଆକାଶ ରାଇଜେ ତମିସ୍ରା ମେଳଣ ଢାଙ୍କିଯାଏ କାଳ ରାତି।।
ଫଗୁଣର ଫଗୁ ଫିକା ପଡିଯାଏ ବସନ୍ତରୁ ବାସ୍ନା ଯାଏ
କାଳ ବଇଶାଖୀ ମାଡି ମାଡି ଆସେ ବରଷା ବେସୁରା ହୁଏ ।।
ଅଦିନ ଝଡରେ ଭାଙ୍ଗିଯାଏ ନୀଡ ପକ୍ଷୀ ବେସାହାରା ହୁଏ
ଶୂନ୍ୟ ନୀଳିମାରେ ଶୂନ୍ୟ ପଂଜୁରୀରେ ପକ୍ଷ ତା' ଆବଦ୍ଧ ହୁଏ ।।
ଶୀତର ଲହଡି ସାଗର ବକ୍ଷରୁ ମାଡି ଆସେ ଯେବେ ଖରେ
ତନୁ ମନ ପ୍ରାଣ ପ୍ରକମ୍ପିତ ହୁଏ ଅଜଣା ଆତଙ୍କ ଘେରେ ।।
ଗୋଲାପର ବାସ କେବେ ମହ ମହ ରୁଧିର ଝରଇ କେବେ
କଣ୍ଟକିତ ପଥେ ଏ ଜୀବନ ରଥ ଗଡି ଗଡି ଯାଏ ଭବେ ।।
ବିଦାୟ ଲଗ୍ନରେ ଛଅ ଖଣ୍ଡ କାଠ ଝଲମଲ ଜ୍ୟୋତିଷ୍ମାନ
ଗ୍ରୀଷ୍ମ ,ବର୍ଷା ,ଶୀତ ହେଉ ବା ବସନ୍ତ ଲାଗେ ଯାହା କାନ୍ତିହୀନ ।।
ଅଜଣା ପଥିକ ଭଗ୍ନ ପାନ୍ଥଶାଳା ଦୃଶ୍ୟହୀନ ଲାଗେ ଦିଗ
ଛାଇ ଆଲୁଅରେ ଜୀବନ ଖେଳୁଛି ବୃଥା ଅହମିକା ରାଗ ।।
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ ,ବଡବିଲ ।