ବର୍ଷା ତୁମେ ଆସ
ବର୍ଷା ତୁମେ ଆସ
କାଲି ତୁମେ ଆସିଥିଲ
ଅଗ୍ନୀବର୍ଷୀ ଆକାଶରୁ
ସୁନାଝରି ପାହାଡକୁ ଛୁଇଁ
ଦେହେ ପିନ୍ଧି ଗ୍ରୀଷ୍ମ ର ଐଶ୍ୱର୍ଯ୍ୟ
ବର୍ଷିଥିଲ ଅମୃତର ବିନ୍ଦୁ ସବୁ
ନିମଜ୍ଜିତ ପୃଥିବୀ ଉପରେ।
ସ୍ତନ୍ୟପାନ ଶିଶୁ ପରି
ଶୋଷିନେଲା ସେସବୁ
ଦଗ୍ଧ ମାଟିର ଧୀର ଶ୍ଵାସ
ମା'ର ମଧୁର ଚୁମ୍ବନ ପାଇ,
ଖେଳିଗଲା ଝଲମଲ ସୃଷ୍ଟି
ଇତସ୍ତତଃ ବିଲ ବତରରେ
ଚମକିଲା ଚାରିଆଡେ ବର୍ଣ୍ଣ ବର୍ଣାଳୀ
ଝଲସିଲା ଜୀବନଧାରା ଲୋହିତ ଢେଉରେ।
ବର୍ଷା ତୁମେ ଆସୁଥିଲ,ହସୁଥିଲ
ହସାଉଥିଲ କେବେ ପୁଣି ମାଡ଼ି ଆସୁଥିଲ
ବିପ୍ଲବର ସୈନ୍ୟଦଳ ଧରି କନ୍ଦାଉଥିଲ
ଦାନ ଦେଇ ବନ୍ୟା ଓ ବାତ୍ୟାକୁ।
ଆଜି ତୁମେ ଆସ ବର୍ଷା
ତୁମ ବିନା ରୁକ୍ଷ ଭୁଇଁ ହୋଇଛି ନିଃସଙ୍ଗ
ମଳିନ ଧୂସର ପଡେ ଜୀବନ ଜିବିକା,
ଘର,ନଦୀ,ବିଲ,ବଣ,ଶସ୍ଯ, ଦେଶ
ସଭିଏଁ ଲୋଡ଼ନ୍ତି ପାଣି
ସଂପର୍କିତ ଜୀବନଟି ପାଇଁ।
ଆଉ ଅପେକ୍ଷାର ବେଳ ନାହିଁ
ବୁଝିବାକୁ ହେବ ତୁମକୁ
କିଛି ନୂଆ ଢ଼ଙ୍ଗରେ
ତୁମ ଲେଉଟାଣିଧାରାର
ସାଇତା ଓ ସୁରକ୍ଷିତ ବ୍ୟବସ୍ଥାରେ
ହୋଇ ଏକ ବର୍ଣ୍ଣମୟ ଉତ୍ତରଣ ।