ଦୁଇ ନେତ୍ର ଯଦି ହୁଅନ୍ତା ଦି’ଫାଳ
ଦୁଇ ନେତ୍ର ଯଦି ହୁଅନ୍ତା ଦି’ଫାଳ
ଦୁଇ ନେତ୍ର ଯଦି ହୁଅନ୍ତା ଦି’ଫାଳ
ପ୍ରମୋଦ ପ୍ରଧାନ
ମୋ ଦୁଇ ନେତ୍ର ଯଦି ହୁଅନ୍ତା ଦି’ଫାଳ
ଫାଳେ ନେତ୍ରୁ ଝରୁଥାନ୍ତା ଅବିରତ ନୀଳାଶ୍ରୁ,
ଆରଫାଳୁ ବର୍ଷୁଥାନ୍ତା ଅହରହ ଆଗ୍ନେୟ କଲ୍ଲୋଳ !
ମୁଁ ହେଇଯା’ନ୍ତି ନିଦାଘର କୃଷ୍ଣଚୂଡ଼ା,
ଜ୍ୱାଳାନ୍ତକ ବିଷଫଣା ତକ୍ଷକ,
ମୋ ଚାରିପାଖେ
ଗଡୁଥାଆନ୍ତେ ଅସଂଖ୍ୟ ମାଦଳ !
ଘୋଟିଯା’ନ୍ତା ମାଟିରୁ ଆକାଶକୁ ହାହାକାର,
ବୃକ୍ଷରୁ କାକଳୀ ଫଡ୍-ଫଡ଼େଇ
ଉଡ଼ିଯାଆନ୍ତେ ମହାଶୂନ୍ୟକୁ !
ମନ୍ଥିହୁଅନ୍ତା ସାଗର,
କରାଳ ଢେଉ ମାଡ଼ିମାଡ଼ି ଆସନ୍ତା କୂଳ ଲଂଘି,
ଫେରିଯାଆନ୍ତା କିଳିକିଳା ରାବ ଦେଇ,
ଉଦରକୁ ଟାଣିନିଅନ୍ତା ବିଦାରି ଘୋଷାରି,
ସମସ୍ତ ଭ୍ରୂଣର ତାରୁଣ୍ୟକୁ,
ତୃଣର ଅରଣ୍ୟକୁ !
ଶୁଭୁନଥାନ୍ତା ପାଦଶବ୍ଦ, କାହା ପାଦର ଘୁଂଗୁର
ବ୍ୟାପିଯାଆନ୍ତା ନିଃଶବ୍ଦ ଅନ୍ଧାର !
ନିଃଶବ୍ଦ ଅନ୍ଧାର ଦି’ଫାଳ ହେଇଯାଆନ୍ତା କି !
ବିଚ୍ଛୁରିତ ହୁଅନ୍ତା ଅନାୟତ୍ତ ଆଲୋକ ବର୍ତ୍ତିକା,
ଆବର୍ତ୍ତରେ ଯୋଡ଼ିହୁଅନ୍ତା
ମୋ ଦି’ଫାଳ ନେତ୍ର...
ଗୋଟେ ଯୁଗର ଅୟମାରମ୍ଭ
ଜନ୍ମନିଅନ୍ତା ନୂଆ ସୁନୀଳ ପତ୍ର !
ଫ୍ରେଣ୍ଡସ୍ କଲୋନୀ, କଟକ
ଫୋନ : ୯୪୩୭୧୮୨୭୮୫
*****