Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamala Satpathy

Comedy Inspirational

3  

Kamala Satpathy

Comedy Inspirational

କାଶ ପାଇଁ ଚିକିତ୍ସା

କାଶ ପାଇଁ ଚିକିତ୍ସା

2 mins
201



ଡାକ୍ତର କହିଲେ ରୋଗଟା ବିଷମ

ବିଳମ୍ୱ ଆଉ ନକର

କଷ୍ଟ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ

ସବୁର ପରୀକ୍ଷା କର ।

ରକ୍ତରେ ଚାପଟା ବୃଦ୍ଧି ପାଇଅଛି

ବଢିଛି ବି ମଧୁମେହ

କାଶ କଫ ଭରିଯାଇଛି ଛାତିରେ

ନିଶ୍ବାସ ଦୁର୍ଗନ୍ଧମୟ ।

ବିଳମ୍ୱ କରିବା ଉଚିତ ହେଇନି

କରିବ ଏବେ ଭରଣା

ଚିକିତ୍ସା ଆରମ୍ଭ କରିବି ଏବେଠୁ

ଚାଲିବା ବୁଲିବା ମନା ।

ଛାତିର ଏକ୍ସ-ରେ, ରକ୍ତର ପରୀକ୍ଷା

ସୋନୋଗ୍ରାଫି ଶରୀରର

ବ୍ରେନ୍ ସ୍କାନିଙ୍ଗ୍ ସାଙ୍ଗକୁ

ହାର୍ଟ ଷ୍ଟ୍ରେସ୍ ଟେଷ୍ଟ୍ କର ।

ଛାତିକୁ ବାଡେଇ, ପିଠି ଥାପୁଡେଇ

ଆଖିକୁ ଦେଲେ ମେଲେଇ

ଅନ୍ୟ କେତେ ସବୁ ପରୀକ୍ଷା ପାଇଁକି

ଲିଇଷ୍ଟ ଦେଲେ ବଢେଇ ।

ରୋଗୀର ମୁଖରେ ଫୁଟିଲା ଆତଙ୍କ 

କି ରୋଗେ ପୀଡିତ ସିଏ 

ସେମିତିଆ କଷ୍ଟ ଅନୁଭବ କାହିଁ

କରିନି ତ ଆଜି ଯାଏଁ !

ସାମାନ୍ୟ ଥଣ୍ଡାରୁ କାଶଟା ହେଉଛି

ଗଲା ଦୁଇ ଦିନ ଧରି

ନିଦରେ ବ୍ୟାଘାତ ହେବାରୁ ଆସିଛି

ସାର୍ ଙ୍କୁ ଦେବ ପଚାରି । 

ଏଠି ଆସି ଆଜି ଜାଣୁଛି ଏବେ ସେ

ସାଂଘାତିକ ତା’ ଅବସ୍ଥା

ଘରଲୋକେ ଶୁଣି ମୁଣ୍ଡ ପିଟିଦେବେ

କେମିତି ଲୁଚିବ କଥା ?

ପୁଅ ପାଠପଢା ସରିନାହିଁ, ଅଛି

ଝିଅ ବାହାଘର ଚିନ୍ତା

ବାପାବୋଉ ପିଚ୍ଛା ଔଷଧ ଖରଚ

ଦିନକୁ ହଜାରେ ଟଙ୍କା ।

କୁଣିଆ ମଇତ୍ର ଚାହିଁ ବସିଛନ୍ତି

ପାଇବେ କିଛି ସାହାଯ୍ୟ

କାହାକୁ କେମିତି ବୁଝେଇ କହିବ

ହୋସ୍ ଉଡିଯାଏ ଆଜ ।

ଘରଣୀଙ୍କ ପାଇଁ ଯୋଗାଡିନି କିଛି

ଅନ୍ଧାର ଭବିଷ୍ୟତ

ଏମିତି ବେଳାରେ ଡାକ୍ତର କୁହଇ

ଚିକିତ୍ସାର ଜରୁରତ ।

ଏତେ ରୋଗ ତାକୁ କେବେଠୁ ହୋଇଲା

କାହିଁ ପାରିଲାନି ଜାଣି ?

ଜାଣିଥିଲେ ରହିଥାନ୍ତା ସାବଧାନେ

ଔଷଧ ଖାଇକି କିଣି ।

ଓଠ ଶୁଖିଯାଏ, ଛାତି ଥରିଯାଏ

ଯାଉଛି ଅନ୍ଧାର ଘୋଟି

ଏମିତିରେ ଆଉ ଘଡିଏ ବିତିଲେ

ମରିଯିବ ଛାତି ଫାଟି !

ତା’ ନିରବତାକୁ ହେଜି ଡାକତର

କହିଲେ ଅଳପ ହସି

କାହିଁ ଏତେ ଚିନ୍ତା କରୁଅଛ ତୁମେ

ବାଆକୁ ବତା ତ ଅଛି !

ପରୀକ୍ଷା ସବୁ ମୁଁ ଯାହା କହିଗଲି

ଜରୁରୀ ଅଟେ କରିବା

ହେଲେ ଯଦି ସବୁ କରିବ ଏଇଠି

ପାଇବ ବଡ ଫାଇଦା ।

ପଚାଷ ପର୍ସେଣ୍ଟ ରିହାତି ଦଉଛୁ

ଆମରି ରୋଗୀଙ୍କ ପାଇଁ

ଛାଡ କରିଦେବି ଫିସ୍ ବି ମୋହର

ବ୍ୟସ୍ତ ଜମା ହୁଅନାହିଁ ।

ପଚାଷ ହଜାର ମାତର ଖରଚ

ହେବ ତୁମ ଚିକିତ୍ସାରେ

ନିଜ ସୁବିଧାରେ ଭରି ବି ପାରିବ

ଦେଖିକି ତିନି କିସ୍ତିରେ ।

ଦାନ୍ତ କାମୁଡିକି ଚାହିଁଥିଲା ରୋଗୀ

ଡାକ୍ତର ବାବୁଙ୍କ ଆଡେ

କାହିଁକି କେଜାଣି ଶାଗୁଣାର ହସ

ଦିଶିଯାଏ ସେ ମୁହଁରେ ।

‘କାଲିକୁ ଆସିବି’, କହିକି ଫେରିଲା

ଦରଜା ଆଉଜି ଦେଇ

ଦୋକାନରୁ ଦୁଇ ଟଙ୍କାର ଔଷଧ

ଆଣି ନିଜେ ଦେଲା ଖାଇ ।

ନିଦେ ଶୋଇଗଲା ସାରା ରାତି ସିଏ

କମ୍ୱଳଟା ଘୋଡିହୋଇ

ସକାଳ ପାହିଲେ ଦେଖିବ କାଶଟା

ଅଛି ନା ଗଲା ଉଭେଇ ।

-0-


Rate this content
Log in