ପାଦ ପକାଉ ଥା' ଥିରିଥିରି
ପାଦ ପକାଉ ଥା' ଥିରିଥିରି
ଆଲୋ ମୋ ସୁନ୍ଦରୀ ସପନର ପରୀ
ହାତେ ହାତ ଧରି ଶୀତକୁ ପାଶୋରି
ସାଥିରେ ମୋହର ପାଦ ପକାଉ ଥା' ଥିରିଥିରି ।
ପାହାଡିଆ ନଈ ଯାଉଅଛି ବହି
କୁହୁଡ଼ିକୁ ଚିରି ହେଉଥିବା ପାରି
ଶିଶିର ଅଧରେ ହସି ଯାଉଥିବୁ କିରିକିରି ।
ଅନ୍ଧାର ରଜନୀ ତୋ ପଣତ କାନି
ମୁହଁକୁ ଲୁଚାଇ ତଳେ ଯିବା ଶୋଇ
କାକର ମୋତି ଏ ଛିଟିକି ପଡିବ ଝିରିଝିରି ।
ଦେଖ ତା ମୁହଁରେ କଳାକାର ଚିହ୍ନ
ହେଉ ଛନଛନ ଆକାଶରେ ଜହ୍ନ
ଗୋରୀର ତନୁରେ ଚୁମି ଦେଉଥିବି ଧୀରିଧୀରି ।
କରିଛି ପୀରତି କରୁଥିବି ନିତି
ଶୀତୁଆ ପବନ ଥରାଏ ବଦନ
କେଶ ତୋ ରେଶମ ଉଡୁଥାଉ ସଖୀ ଫିରିଫିରି ।
ଉଦାସିଆ ରାତି ଥରିଉଠେ ଛାତି
ଧରିନେ କୋଳରେ ବାହୁ ଯୁଗଳରେ
ଶିହରିଯାଉଛି ତନୁମନ ମୋର ସିରିସିରି ।
ରାତି ପାହିଗଲେ ଭାନୁ ଉଦେ ହେଲେ
ପାହାନ୍ତିଆ ଖରା ପୁଇଁ ଯିବ ସାରା
ଚକା ଭଉଁରୀ ଏ ଖେଳିବା ମିତଣୀ ଘିରିଘିରି ।