ଗାଏ ତା' ଗୀତି
ଗାଏ ତା' ଗୀତି
1 min
13.7K
ମୁଁ ମାତ୍ର ନିମିତ୍ତ, ସାଧାରଣ ଜଣେ
ସାରସ୍ୱତ, କ୍ଷୁଦ୍ର
ଅସାର ଦ୍ରୁମ ।
ସ୍ୱର୍ଗ ପାରିଜାତ ନୁହେଁ, ନୁହେଁ ହୀରା
ରୁଦ୍ରାକ୍ଷ ରୀତିରେ
କରୁଛି କର୍ମ ।
ପ୍ରେରଣା ମୋ'ମନ,ପ୍ରେରଣା ମୋ'ଧନ
ସ୍ୱର୍ଗ ପାରିଜାତ
ପ୍ରେରଣା ମୋର ।
ଜୀଇଁଛି ତା'ପାଇଁ, ମରିବି ତା'ପାଇଁ
ତା'ପାଇଁ ଲେଖନୀ
ହୁଏ ଉର୍ବର ।
ସେ ହିଁ ସରସ୍ୱତୀ, ପ୍ରୀତି ପ୍ରଜାପତି
ସେଇ ହିଁ ମୋ'ମନ
ମୂଳ କବିତା ।
ତା'ରି ଇସାରାରେ ଶବ୍ଦ ମୋ'ର ଝରେ
ମୋ'ପାଇଁ ସେ ସ୍ୱୟଂ
ଜଗତ ଜିତା ।
ଶ୍ରଦ୍ଧାରେ ଶ୍ରଦ୍ଧାରେ ଶବ୍ଦରେ ଶବ୍ଦରେ
ମନ୍ତ୍ରମୁଗ୍ଧ ମନେ
ଗାଏ ତା'ଗୀତି ।
ମର୍ଯ୍ୟାଦା ମନ୍ତ୍ରରେ କବିତା କଳ୍ପରେ
ଭକ୍ତି ପୁଷ୍ପାଞ୍ଜଳି
ବାଢେ ତା' ପ୍ରତି ।
ମୋ'କବିତା କନ୍ୟା ଉତ୍ସାହର ବନ୍ୟା,
ଉଦ୍ଧିପନା ଉର୍ମି
ଓଢଣୀ ଉଢେ ।
ରାଇଜେ ରାଇଜେ ସଂସ୍କାର ମୁରୁଜେ
ନୃତ୍ୟରେ ନୃତ୍ୟରେ
ସଂସ୍କାର ବାଢେ ।
ଜନମ ଲଭିଛି ଜନନୀ କୋଳରେ
ମଶାଣି ମଣ୍ଡିବି
ପ୍ରେରଣା କୋଳେ ।
ସେଇ ମୋ' ସୁଖଦା ସେଇ ମୋ'ବରଦା
ବନ୍ଦିନୀ ସେ ମୋର
ଭକତି ଜଳେ ।