ନିର୍ବୋଧ
ନିର୍ବୋଧ
ନିଜ ଭାଗ୍ୟରେଖା ନିଜେ ଟାଣିବାକୁ
ଛୁରି ଧରି ବାହାରିଲି,
ଶ୍ରେଷ୍ଠ ଜ୍ୟୋତିଷକୁ ପାଖରେ ବସାଇ
ହାତର ରେଖା କାଟିଲି।
ବହୁଥିଲା ଯେଉଁ ରୁଧିର ତହିଁରେ
ହେଉଥିଲି ଆନନ୍ଦିତ,
ଭାବୁଥିଲି ଭାଗ୍ୟ ବଦଳାଇବାରେ
ଏ ଯନ୍ତ୍ରଣା ଅଣୁମାତ୍ର ।
ନିଜ ଭାଗ୍ୟର ନେପୋଲିୟନ ମୁଁ
ସଫଳତା ହାତଧରି,
କେତେ ଅଷ୍ଟ୍ରିଆ, କେତେ ଇଟାଲି
ଗଲି ପଦାନତକରି।
ତୁମେ ଫିଙ୍ଗିଥିବା ମୁକୁଟକୁ, ରାସ୍ତା-
ଉପରୁ ଉଠାଇ ନେଇ,
ମୁଣ୍ଡରେ ଥୋଇ ରାଜାବୋଲି କହି
ନାଚୁଥିଲି ଡେଇଁ ଡେଇଁ।
ଅଦୃଷ୍ଟକୁ କଲି ଉପହାସ,ଅପ-
ମାନିତ କରିଲି ସୃଷ୍ଟି ।
ଜାଣି କି ଥିଲି ମୁଁ ଚଲାପଥେ ଥିଲା
ତୁମର ବକ୍ର ଦୃଷ୍ଟି !
ନାକରେ ଲଗାଇ ଦଉଡି, ମାଙ୍କଡ-
ନାଚ ମୋତେ ନଚାଇଲ,
ମୋର ସଫଳତା ବିଶାଳ ବାହିନୀ
ବରଫରେ ପୋତିଦେଲ।
କେଉଁ 'ଏଲବା'ର ନିର୍ଜନ ଦ୍ୱୀପେ
ଫିଙ୍ଗିଲ ମୋତେ ନେଇ,
ଅଟ୍ଟହାସ କଲ ମୋ ଦୁଃସାହସକୁ
ଫୁତ୍କାରେ ଦେଇ ଉଡାଇ।
ଆଜି ମୁଁ ବୁଝୁଛି,ମୁଁ ନୁହେଁ ତୁମେ
ନିଜେ ସେଦିନ ଆସିଲ,
ଆବଶ୍ୟକ ଥିଲା ତୁମପାଇଁ ବୋଲି
ଭାଗ୍ୟ ମୋ ବଦଳାଇଲ।