ପୂଣ୍ୟତ୍ୱୟା ବୈତରଣୀ
ପୂଣ୍ୟତ୍ୱୟା ବୈତରଣୀ
2 mins
223
ଅଳକାନନ୍ଦା ତୁ ଗିରୀରାଜ ସୂତା
ମର୍ତ୍ତ୍ୟ ରେ ଜନମ ଲଭିଲୁ
ଗୋନାସିକା କୋଳେ ଧିର ମନ୍ଥର ରେ
ପାଦ ଥାପି ଥାପି ଚାଲିଲୁ ...
କମନୀୟ କାନ୍ତି ଦର୍ଶନେ ହିଁ ଶାନ୍ତି
ତୋ ସ୍ପର୍ଶେ କଳୁଷ ହରଣ
ପୂଣ୍ୟତ୍ୱୟା ମା ବୈତରଣୀ ତୁ ଯେ
ତୋତେ ପାଇ ଧନ୍ୟ ପରାଣ ...
କାହା ବଶେ ତୁ ଲୋ ଅଟକି ରହିନୁ
ସ୍ୱାଧୀନ ରାଜକନ୍ୟା ତଟିନୀ
ଲତା ଦୃମ ଗୁଳ୍ମ ସହ ଚର ତୋର
ତୋ ପ୍ରେମରେ ହେଲେ ବନ୍ଦିନୀ...
ଛନ ଛନ ମନେ କନ କନ ଧାଇଁ
ଲୁଚକାଳି କେତେ ଖେଳିଲୁ
ଚପଳାମି ତୋର ତୁହି ଏକା ଜାଣୁ
ଗୁପ୍ତ ଗଙ୍ଗା ନାମ ବୋହିଲୁ ...
ଅଚିରେ ଖେଳିଲା ତୋ ଅଙ୍ଗେ ଯୌବନ
ମହମହ ଭାରି ବାସିଲୁ
ଅପୂର୍ବ ସୌରଭ ଅଙ୍ଗ ଖୋଜେ ସଙ୍ଗ
ପ୍ରିୟତମ ସ୍ପର୍ଶ ଖୋଜିଲୁ ...
ବିଦାୟ ମେଲାଣି ଦେଇ ବ୍ରହ୍ମେଶ୍ୱର
କାନ୍ଦେ ଲୁଚି ଲୁଚି ରାତିରେ
ଛାଡିବୁନି କହି ରାଣ ଦେଲୁ ଯେହ୍ନେ
ସ୍ପନ୍ଦନ ଫେରିଲା ଛାତିରେ...
ଗିରିବାଳା ତୁଲୋ ଗିରୀ ବନ ଛାଡି
ରହିଲୁ ଅନତି ଦୂରରେ
ପାହାଡି କନ୍ୟା ତୋ ପ୍ରେମ ପ୍ରତିଦାନ
ଦେବାକୁ ନାହିଁ କିଛି ପାଖରେ...
ଜଗତ କଲ୍ୟାଣୀ ତୋ ଚୁମ୍ବନ ବଳେ
ସବୁଜିମା ଭରେ ଧରଣୀ
ସୋରିଷ ଫୁଲିଆ କ୍ଷେତରେ ଫଗୁଣ
ଟାଣେ ହଳଦିଆ ଓଢଣୀ ...
ଜଳଦ ଆଶିଷେ ତୋ କପାଳେ ଟିକା
ବିନ୍ଦୁ ଏ ଅମୃତ ସମ ଦିଶେ
ସକଳ ଜଗତ ମଙ୍ଗଳାର୍ଥେ ତୋର
ପ୍ରଫୁଲ୍ଲ ବଦନ ମୁରୁକି ହସେ...
ବିହଙ୍ଗ ସଂଗୀତେ ନାଚି ନାଚି ଗଲୁ
ବନ ପରବତ ଡେଇଁ ଡେଇଁ
" ମୁଁ ତୁମ ଜନନୀ ତୁମ ସେବା ପାଇଁ "
ଆସିଛି ଏକଥା ଦେଉ କହି...
ତୁ ଆସିଗଲୁ ଗୁଣୁଗୁଣୁ ହେଇ
ମୁକ ବି ଗାଇଲା ସ୍ୱର ସଙ୍ଗୀତ
ଅବସାଦ ପ୍ରାଣେ ତୋ ଶୀତଳ ସ୍ପର୍ଶ
ସପନ ଖଣ୍ଡ କୁ କରିଲା ସତ...
ପର୍ବ ପର୍ବାଣୀ ରେ ତୋ ଜଳେ ସ୍ନାହନ
କୋଟି ତପସ୍ୟାର ଫଳ ଦିଏ
ଅତୀତ ଗୌରବ ଇତିହାସ ତୋର
ପୁରାଣ କିମ୍ବଦନ୍ତୀ କଥା କହେ...
ଭୀମକୁଣ୍ଡେ ତୁହି ଜଳ କ୍ରିଡା କରୁ
ପବିତ୍ର ମକର ସଂକ୍ରାନ୍ତି ରେ
ଯାତରା ଲଗେଇ ଆନନ୍ଦ ବାଣ୍ଟୁଛୁ
ତୋ ଦୁଇ କୂଳ ଧାରେ ଧାରେ...
ବହି ଯାଉଛୁ ମା' ତାରିଣୀ ପାଦେ
ତା' ପଦ ରେଣୁ ଧୋଇ ଧୋଇ
ଅଗନା ଅଗନୀ ବନସ୍ତ ମଧ୍ୟରେ
ମଧୂର ମୂର୍ଛନା ରାଗ ଗାଇ ...
ରହିଛୁ ରହିବୁ ଯୁଗ ଯୁଗ ଯାଏଁ
ତୋ ପୁତ୍ର ସନ୍ତାନ ହିତ ପାଇଁ
ଭୁୟାଁ ଯୁଆଙ୍ଗ ର ମାଦଳ ବାଜାରେ
ନାଚି ଯାଉଥିବୁ ଛୁଇଁ ଛୁଇଁ ...