ସମୟ ବଡ ବଳବାନ
ସମୟ ବଡ ବଳବାନ
ଅଖଣ୍ଡ ମଣ୍ଡଳାକାର ପ୍ରକୃତିର ଆୟୁପରା ସ୍ୱୟଂ ମହାକାଳ
କେବେ ସୃଷ୍ଟି କାହିଁ ସ୍ଥିତି ବିଲୟର ବେଳ ଜାଣେ ନିଜେ କାଳ ।
ପ୍ରାଗୈତିହାସିକ ଯୁଗ କଥା ପୁରାଣ ଇତିହାସର ବର୍ଣ୍ଣନ
ସତ୍ୟ ତ୍ରେତା ଦ୍ୱାପର ଆବର କଳିଯୁଗ ଚଳି ବର୍ତ୍ତମାନ ।
ଫସିଲରୁ ହିସାବ ଲଗାଏ ଚାଲେ ପରୀକ୍ଷାଗାରରେ ଗଣନ
କେତେ ଲକ୍ଷ କେତେ କୋଟି ବର୍ଷ ଧରା ଆମ ହେଲା ଆଗମନ।
ଶୈବାଳରୁ ମନୁଷ୍ୟର ସୃଷ୍ଟି ଗତିପଥ କରି ଆକଳନ
ସିଂପାଂଜିରୁ ମର୍କଟ ପର୍ଯ୍ୟନ୍ତ ମଣିଷର ଆବିର୍ଭାବ ଗାନ ।
ଜୟଦେବ ଶ୍ରୀଗୀତଗୋବିନ୍ଦେ କରି ଦଶାବତାରର ବର୍ଣ୍ଣନା
ବିବର୍ତ୍ତନବାଦକୁ ବଖାଣି କାଳ ବକ୍ଷେ ରଖିଗଲେ ନାଆଁ ।
କାଳଚକ୍ର ଘୁରେ ଅବିରତ ଅତୀତ ବର୍ତ୍ତମାନ ଭବିଷ୍ୟ
କେତେ ଇତିହାସ ଗଢାହୁଏ ଲୀନ ହୁଏ ତା ଗର୍ଭେ ଅବଶ୍ୟ।
ସମୟଟା ବଡ ବଳବାନ କାହାପାଇଁ ରୋକି ଯାଏ ନାହିଁ
ଆଜି ହୋଇଯାଏ ଗତକାଲି ଆସନ୍ତା କାଲି ରୁ ଆଜି କାହିଁ !
ଅତୀତର ସ୍ମୃତି ରୋମନ୍ଥନ ଭବିଷ୍ୟତ ପାଇଁ କଳପନା
ଦୁଇ ମେରୁ ମଧ୍ୟେ ବର୍ତ୍ତମାନ କରିବାକୁ ସବୁର ସାଧନା ।
ସ୍ୱପ୍ନ ସବୁ ଭବିଷ୍ୟତ ପାଇଁ ବର୍ତ୍ତମାନେ କରିବା ସାକାର
ସରଗକୁ ନିଶୁଣି ବାନ୍ଧିବ ରାବଣକୁ ନେଲା କାଳ କୃର ।
ଟିକ୍ ଟିକ୍ ଘଣ୍ଟାକଣ୍ଟା ଚାଲେ ସମୟର ସଚେତନ ବାଣୀ
ସମୟର ଉପଯୋଗ କର ସମୟକୁ ନ ପାରିବ ଟାଣି ।
ଅତୀତ ଭବିଷ୍ୟତର ଯୋଗସୂତ୍ର ଯେଣୁ ବର୍ତ୍ତମାନ କାଳ
ହାତରେ ଯା ଅଛି କରନାହିଁ ଆଳସ୍ୟରେ ତାକୁ ନିଜ ଖେଳ ।
ଆଜି ମଲେ କାଲିକି ଦି ଦିନ ଧୀରେ ଧୀରେ ଭୁଲିଯିବେ ମନ
କୀର୍ତ୍ତି ସ୍ତମ୍ଭ ଗଢିଛି ଯେ ନର ଇତିହାସ ଦିଏ ତାକୁ ସ୍ଥାନ ।
ନାମଟିଏ ମିଳେ ଜନମରେ ସେ ନାମର କର ସାର୍ଥକତା
କାଳ ବକ୍ଷେ ଲୁଚିଯିବା ଆଗୁଁ ସର୍ବନାମ ନହେଉ ବାରତା ।