ଶୀତ ନଇଁ ନଇଁ ଆସେ
ଶୀତ ନଇଁ ନଇଁ ଆସେ
ଅଳସୀ ରାତିର ଫୁଙ୍ଗୁଳା ଛାତିରେ
ଶୀତ ନଇଁ ନଇଁ ଆସେ
ଲାଜେଇ ଜହ୍ନଟା ସରମେ ଝାଉଁଳି
ବଉଦ ଫାଙ୍କରେ ହସେ ।।
ପାହାଡ ସେପଟେ ଦୂର ଶାଳବଣ
ସ୍ବାଗତ ସଂଗୀତ ଗାଏ
ସାଗର ବୁକୁରେ ଉତ୍ତାଳ ତରଙ୍ଗ
ତନୁକୁ ତା' ଛୁଉଁଥାଏ ।।
ସୈକତର ସିକ୍ତ ବାଲୁକା ଶେଯରେ
ଝଲମଲ ପାଦଚିହ୍ନ
ନୂପୁର ରାଗିଣୀ ଶୁଭେ ପ୍ରତିଧ୍ଵନି
ପ୍ରାଣେ ଭରେ ଶିହରଣ ।।
ପାଦ ଚାପି ଧୀରେ ଲାଜକୁଳୀ ଲତା
ଆସେ ବାତାୟନ ପଥେ
ମୁଗ୍ଧ ଚାହାଣୀରେ ପ୍ରୀତିର ମଦିରା
ସତେକି ଢାଳୁଛି ହାତେ ।।
ନରମ ନରମ କୋମଳ ପରଶେ
ମାଦକତା ଭରିଯାଏ
ଆକାଶ ଛାତିରେ ତାରା ଫୁଲ ଯେତେ
ମହମହ ବାସୁଥାଏ ।।
ଧୂମାନ୍ତ ବଳୟ ମ୍ଳାନ ଗୋଧୂଳିରେ
ଶୀତଳ ସମୀର ବହେ
ସଂଜ ଗଡିଗଲେ ଧରଣୀର ବୁକୁ
ପ୍ରେମରଂଗେ ସଜ ହୁଏ ।।
କାକର ବିନ୍ଦୁ ରେ ରୂପର ପସରା
ଢଳଢଳ ଆୟୁଷ୍ମାନ
ସରଗର ଶଶୀ ପଡିବକି ଖସି
ପୁଲକିତ ତନୁ ମନ ।।
ରାତିର ବୟସ ବଢିଚାଲେ ଧୀରେ
କାମନାର ଢେଉ ଖେଳେ
ବିରହିଣୀ ପ୍ରିୟା ଉଦାସୀ ନୟନେ
ପ୍ରୀତିର ସ୍ତବକ ତୋଳେ ।।
ନିଥର ନୀରବ ରାତ୍ରିର ପ୍ରହର
ଥୁରୁ ଥୁରୁ ଥରୁଥାଏ
ଶୀତଳ ପବନ ମୃଦୁ ସମ୍ମୋହନ
ପ୍ରେମସିକ୍ତ କରୁଥାଏ ।।
ରଜନୀଗଂଧାର ଚନ୍ଦନ ମହକ
ଭୂମିରୁ ଭୂମାକୁ ଛୁଏଁ
ରୂପେଲୀ ଜୋଛନା ସୋରିଷର ଫୁଲେ
କିରି କିରି ହସୁଥାଏ ।।
ଶରତ କୁମାର ଦାସ ,ବଡବିଲ ମହାବିଦ୍ୟାଳୟ, ବଡବିଲ