ସ୍ମୃତି ଏକ ଅତୀତର
ସ୍ମୃତି ଏକ ଅତୀତର
ସ୍ମୃତି ଏକ ଅତୀତର
ପଢୁଥିଲି ଥରେ କୋମଳାଙ୍ଗୀ କରେ
ଦେଇଥିଲା ପ୍ରେମ ଲେଖା
ସୀମାନ୍ତରେ ବସି ହସୁଥିଲା ଶଶୀ
ଗୋପନେ ପାଇ ତା' ଦେଖା ,
ତେବେ କିମ୍ପା ହେଳେ ମଧୁଲଗ୍ନ ବେଳେ
ବଙ୍କିମ ଧନୁଷ ରେଖା
ମନେପଡେ କାହିଁ ଆଜି ସେ ତ ନାହିଁ
ଜାଣେ ମଲାଜହ୍ନ ଏକା ।
ତା' ଭାବ ମଗନେ ଦେଖିଲି ଗଗନେ
ବିଛିନ୍ନ କବରୀ କେଉଁ
ସେ ମୁକ୍ତ ଭବନେ ବାରିଲି ପବନେ
ଭାସେ ଗନ୍ଧ ତାର ଦେହୁ ,
ନେତ୍ରରୁ କାହାରି ପଦାକୁ ବାହାରି
ଖେଳଇ ଅଶ୍ରୁଳ ଢେଉ
ଏହା ମୋ କରମ କି ମନ ଭରମ
ବିକାର ନୁହେଁ ତ ଏହୁ ?
ସବୁ ପାଇ ସୁଦ୍ଧା ପାଇବାର କ୍ଷୁଧା
ଏଯାଏଁ ଦେଇନି ବଳି
ଥିଲେ ଅବକାଶ ହୁଏ ପରକାଶ
ଅନ୍ତରେ କାମନା ଜଳି ,
ଏତେ ପାଇ ପୁଣି ଦୋଷାଦୋଷ ଖୁଣି
ଦୂରେଇନି ତାହା ଭଳି
କି ହେତୁ ଲଳନା କଲା ଏ ଛଳନା
ଆନମାର୍ଗେ ଏବେ ଚଳି ?
ମଲା ମୋ ଅତୀତ ହୁଅଇ ପ୍ରତୀତ
ଅଶରୀରୀ ସ୍ବପ୍ନ ଜାଗି
ସତେ କି କାୟାରେ କି ଅବା ମାୟାରେ
ଆସିଛି ସାନ୍ନିଧ୍ୟ ମାଗି ,
ଅନ୍ତର୍ଦାହ ମୋର ବେଳୁବେଳ ଜୋର
ମୁଁ କି ଅପରାଧୀ ଦାଗୀ
କାହିଁ ଆଶ୍ବାସନ ଭୋଗି ନିର୍ବାସନ
ହେଲିଣି ତ ବଇରାଗୀ ।
ବସି ତରୁମୂଳେ ଭାବେ ଆଖିକୂଳେ
କାହା ଅଶ୍ରୁ ପାରାବାର
ଚେତନାରେ କିଏ ଧୀରେ କହି ପ୍ରିୟେ
ରଚିଯାଏ ଅଭିସାର ,
ବାହୁରେ ବାନ୍ଧଇ କେବେ ବା କାନ୍ଦଇ
ଶୁଭେ ପୁଣି ହାହାକାର
ବିଗତ ଦୁଃଖର ଦିନ କି ମୁଖର
ଦୋଳାୟିତ ମର୍ମ ତାର !
ବାଜଇ ପୂରବୀ ତା' ଦେହ ସୁରଭି
ଖେଳିଯାଏ ସାରା ମହୀ
ଦେଇଥିଲି ମାଳା ମୁହିଁ ସେହି ବାଳା
ବୋଲି କାନେ ମୋର କହି ,
ମୋତେ ଦିଏ କଥା ପୋତି ତାର ମଥା
ଜୀବନ ଯାତନା ସହି
ଥିବ ଚିରକାଳ ଘେନି ମୋର ବାଳ
ପ୍ରବୋଧଇ ରହି ରହି ।
ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩
ସେକ୍ଟର - ୪
ରାଉରକେଲା - ୭୬୯୦୦୨
ଦୂରଭାଷ - ୭୯୭୮୧୯୨୨୨୭