ଜରି ଗୋଟାଳି
ଜରି ଗୋଟାଳି
ତାର କାମ ହେଲା ସହରର
ଗଳି କନ୍ଦି ପାର୍କ ରାସ୍ତା
ସବୁଆଡେ ବୁଲି ବୁଲି
ଜରି ଗୋଟେଇବା ।
ଅବିରତ ସେ ତାର
ପେଟ ଛାଖଣ୍ଡକ ପାଇଁ
ଘୁରି ବୁଲୁଥାଏ ।
କିନ୍ତୁ ସିଏ ସମାଜକୁ ଦେଖିଛି
ବହୁତ ପାଖରୁ ।
ଦେଖିଛି ସଞ୍ଜୁଆ ପାର୍କର
ସେହି ଝାପ୍ସା ଅନ୍ଧାରରେ
ଶିକ୍ଷିତ ସମାଜର ଉଚ୍ଚଶିକ୍ଷିତ
କାର୍ଯ୍ୟକଳାପକୁ ।
ଦେଖିଛି ଅଧଗଢା ଭଙ୍ଗା କୋଠା
ଭିତରେ ରତୀ କରୁଥିବା
ସେହି ଭଦ୍ରମୁଖା ଧାରୀ
ଲୋକ ମାନଙ୍କୁ ।
କିଛିଟା ମୁହୂର୍ତ୍ତ ପରେ
ଦେହରୁ ଧୁଳି ମଳି ଝାଡ଼ି
ଚହଟ ଚିକ୍କଣ ହୋଇ
ଛାତିକୁ ଫୁଲେଇ ଚଳୁଥାନ୍ତି
ରାଜରାସ୍ତାରେ ।
ଅନେକ ସମୟରେ ପାଇଛି
ଆଉ ଦେଖିଛି ଏହି ଆବର୍ଜନାରେ
ଜରିରେ ପଶିଥିବା
ଦୁନିଆଁର ଆଲୋକ
ଦେଖିନଥିବା କିଛି କଅଁଳ
ନିଷ୍ପାପ ଶିଶୁଙ୍କୁ,
ମୃତ ଅବସ୍ଥାରେ ।
ସେତେବେଳେ ଆତ୍ମାକୁ
ବହୁତ ବାଧେ କିନ୍ତୁ
ଶିଶୁଟିକୁ ଫିଙ୍ଗି ଦେଇ
ସେହି କୁକର୍ମୀ ପିତାମାତା
ବହୁତ ଖୁସି ହେଉଥିବେ
ନିଜ ମୁଣ୍ଡରୁ କଲଙ୍କର
ବୋଝ ଓହ୍ଲେଇ ଦେଇ ।
ଆଉ ପୁଣି ଥରେ ଦୁନିଆଁ ଆଖିରେ
ଖୁବ ଖୁସିରେ ଶୃଙ୍ଖଳିତ
ଆଉ ସମ୍ମାନସ୍ପଦ ହୋଇ
ବୁଲୁଥିବେ ।
କାହିଁକିନା ତାଙ୍କ ଦେହରେ
ଧୂଳି ଲାଗିନଥିବ ।
ଚେହେରା ଥିବ ଚହଟ ଚିକ୍କଣ ।
ସେଥିପାଇଁତ ଦେହରେ ଧୁଳି
ଲାଗିଥିବା ହେତୁ
ସମାଜ ଆଖିରେ ସେ ଘୃଣ୍ୟ
କାହିଁକିନା ସିଏ ଗୋଟେ ଜରିଗୋଟାଳି ।