ମଲାସ୍ବପ୍ନ
ମଲାସ୍ବପ୍ନ
ନୀଳ ନୀଳିମାରେ ଜହ୍ନ ଖେଳୁଥିଲା
ସବୁଜ କେଦାର ହାତ ଠାରୁ ଥିଲା
ମଳୟରେ ଥିଲା ବାସ
ଗୋଲାପୀ ଗୋଲାପୀ ଦିନ ବାସୁଥିଲା
ନିଦ ପାଲିଙ୍କି ରେ ସ୍ବପ୍ନ ଆସୁଥିଲା
ମଧୁ ଝରୁଥିଲା ମାସ ।।
ଟପର ଟପର ବର୍ଷା ପଡୁଥିଲା
ନୁପୂର ଝଂକାର ମନ ମୋହୁଥିଲା
ମନ ଥିଲା ଆନମନା
ଶୀତଳ ଚନ୍ଦନ ଝରି ପଡୁଥିଲା
ଶିଶିର ବିନ୍ଦୁରେ ସ୍ବପ୍ନ ଝୁଲୁଥିଲା
ବହୁଥିଲା ପ୍ରେମ ବନ୍ୟା ।।
ପାରିଜାତ ପୁଷ୍ପ ହାତେ ଛୁଉଁଥିଲା
ମାଟିରୁ ଆକାଶ ସ୍ବପ୍ନ ଉଡୁଥିଲା
ଡେଣା ମେଲି ଫର ଫର
ଆଶା ଇନ୍ଦ୍ରଧନୁ ସାତ ରଂଗେ ସଜା
ଚଉଦିଗ ଯାହା ବାଜୁଥିଲା ବାଜା
ମଧୁର ଜୀବନ ସ୍ବର ।।
ସାତ ସୁରେ ବନ୍ଧା ଜୀବନ ସଂଗୀତ
ବଦଳିଲା ଋତୁ ବଦଳିଲା ଗୀତ
ବର୍ଷା ରୁ ହେଲା ବୈଶାଖ
ଡହ ଡହ ତାତି ଖଂଡବ ଦହନ
ଜଳିଯାଏ ସ୍ବପ୍ନ ଉତ୍ତପ୍ତ ମଧ୍ୟାହ୍ନ
ହଜିଯାଏ ଯେତେ ସୁଖ ।।
ଅସ୍ତଗାମୀ ସୂର୍ଯ୍ୟ ବିଦାୟ ର ଲଗ୍ନ
କାଳ ବଇଶାଖୀ ବହେ ଘନ ଘନ
ଜୌସ୍ନା ରୁ ଝରୁନି ବାସ୍ନା
ଯନ୍ତ୍ରଣାର ସୁରେ ଜୀବନ ରାଗିଣୀ
ଫିକା ଫିକା ଲାଗେ ଜହ୍ନର ରୋଷଣୀ
ଜାଇ-ଯୂଇ-ମଲି-ହେନା ।।
ମ୍ଳାନ ଗୋଧୂଳିର ସ୍ତୀମିତ ପ୍ରଦୀପ
ତମିସ୍ରା ର ଛିଟା ଶୀତର ପ୍ରକୋପ
ରାତି ସରି ସରି ଯାଏ
ଅଧାଗଢା ସ୍ବପ୍ନ ଧୂସର ଦିଗନ୍ତ
ବନ୍ଧୁର ପଥ ରୁଧିର ରଂଜିତ
ଆଖି ଲୁହ ଓଠ ପିଏ ।।
ଝରିପଡେ ଯେତେ ଆଶାର ଶେଫାଳୀ
ଲିଭି ଲିଭି ଯାଏ ମନର ଦୀପାଳି
ନିଥର ନିଃଶବ୍ଦ ରାତି
ମଲାସ୍ବପ୍ନଙ୍କର ଗୁଂଜରିତ ସ୍ବର
ଆତ୍ମାର ବିଳାପ ନିର୍ବାକ ଈଶ୍ବର
ଅଧାଗଢା ଦାରୁମୂର୍ତ୍ତି ।।
ଶରତ କୁମାର ଦାସ