ଅବନୀରେ ଅଛି ଖ୍ୟାତି
ଅବନୀରେ ଅଛି ଖ୍ୟାତି
ବଡ଼ ଦେଉଳର ବଡ଼ ଠାକୁର ହେ
ବଳଭଦ୍ର ଭଗବାନ ,
ଆକୁଳରେ ଭକ୍ତ ଗୁହାରି କରୁଛି
ଶୁଣ ବାରେ ଡେରି କାନ ।
ବଳରେ ଗରିଷ୍ଠ ଭଦ୍ରତାରେ ଶ୍ରେଷ୍ଠ
ହେ ଗୋସାଇଁ କରେ ଅଳି ,
ଜୀବନକୁ ମୋର ସୁବାସିତ କର
ସଜ କୁସୁମଟି ଭଳି ।
ବହୁତ ଉଦାର ତୁମେ ହଳଧର
ହୁଅ ଯେ ସଅଳ ତୋଷ ,
ମୋ ଉପରେ ପ୍ରଭୋ ହୁଅ ହେ ପ୍ରସନ୍ନ
କ୍ଷମା କର ମୋର ଦୋଷ ।
ବରାଭୟ ଦାତା ତୁମେ ଶୁଦ୍ଧଚେତା
ଅବନୀରେ ଅଛି ଖ୍ୟାତି ,
ବଡ଼ଭାଇ ହୋଇ ଦୁନିଆ ବାସୀଙ୍କୁ
ଜଣାଅ ଭ୍ରାତୃତ୍ବ ପ୍ରୀତି ।
ବଡ଼ ଦୟାବନ୍ତ ତୁମେ ତ ଅନନ୍ତ
ସଦାଶିବଙ୍କର ରୂପ ,
ମୋ ଗୁହାରି ଘେନା କରିଲେଟି ସିନା
ସଫଳ ହେବ ମୋ ଜପ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।