ଯିବି ନାହିଁ ବୃଦ୍ଧାଶ୍ରମକୁ
ଯିବି ନାହିଁ ବୃଦ୍ଧାଶ୍ରମକୁ
ହାତ ଯୋଡି ତୋତେ ନେହୁରା ହେଉଛି
ତୋ ପାଖେ କରୁଛି ଆଳି
ସହି ଯିବି ମୁହିଁ ବୋହୂଟା ମୋହର
ଦେଉଥିଲେ ଯେତେ ଗାଳି ।
ମାଗିବିନି ତୋତେ ବଖରାଏ ଘର
ତୋ ଘରେ ରହିବା ପାଇଁ
ଲୋଡ଼ା ପରା ମୋତେ ଛୋଟ ଟୁଙ୍ଗିଟିଏ
ମୋ ମୁଣ୍ଡ ଗୁଞ୍ଜିବା ପାଇଁ ।
ଏଇଠି ରହିଛି କେତେ କାହିଁ ସ୍ମୃତି
ଏହି ମୋର ଭିଟାମାଟି
ବୃଦ୍ଧାଶ୍ରମ କଥା କହିଲେ ଧନରେ
ମରିଯିବି ମଥା ପିଟି ।
ବାପା ସିନା ତୋର ଏକା କରି ମୋତେ
ଚାଲିଗଲେ ଆର ପାରି
ଆଜିବି ଦେଖୁଛି ତାଙ୍କ ପ୍ରତିଛବି
ଝୁରୁଛି କାନ୍ଥ ପାଚେରୀ ।
ଦିନ ସିନା ସବୁ ଚାଲି ଯାଇ ଅଛି
ସେମିତି ରହିଛି ଚିହ୍ନ
କେମିତି କହୁଛି ବୃଦ୍ଧାଶ୍ରମେ ଯାଇ
ରହିବାକୁ ମୋତେ ଧନ ।
କହିବିନି କେବେ ତୋତେ ମୁଁ ଧନରେ
ମୋ ସେବା କରିବା ପାଇଁ
ଆଜିବି ଦେହରେ ବଳ ମୋର ଅଛି
ଜୀବନ ଜିଇଁବା ପାଇଁ ।
କେତେ ଘୁଅ ମୁତ ସଫା ମୁଁ କରିଛି
ଛୋଟ ଯେବେ ହେଇଥିଲୁ
ବଡ ହେଲା ପରେ ସେହି ସବୁ କଥା
କେମିତି ତୁ ଭୁଲିଗଲୁ ।
ଖାଇବାକୁ ଗଣ୍ଡେ ଦେବୁ ତୁ ମୋତେରେ
ଯଦି ତୋର ଇଛା ହେବ
ନହେଲେ ଧନରେ ଭୋକ ଉପାସରେ
ଦିନ ମୋର କଟିଯିବ ।
ହେଲେ ଯିବି ନାହିଁ ମୁଁ ବୃଦ୍ଧାଶ୍ରମକୁ
ଭିଟାମାଟି ସବୁ ଛାଡି
ପାରିବୁ ଯଦି ତୁ ବିଷରୁ ଟୋପାଏ
ନିଜ ହାତେ ଦେବୁ ବାଢି ।
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ପ୍ରୀତିପୁର, ଯାଜପୁର