ଆନ ସ୍ଵର୍ଗ ସୁଖ ଲୋଡା ନାହିଁ
ଆନ ସ୍ଵର୍ଗ ସୁଖ ଲୋଡା ନାହିଁ
ଆନ ସ୍ଵର୍ଗ ସୁଖ ଲୋଡା ନାହିଁ
ୟଦି ଶିକ୍ଷକ ହୋଇଛି କେହି l
ଶିକ୍ଷକ ବୃତ୍ତିକୁ ଆଦରି ନେଇଛି
ଏ ମୋର ବଡ଼ ସୌଭାଗ୍ୟ
ମୋ କର୍ମଡୋରିରେ ବନ୍ଧାହୋଇଅଛି
ଏ ଦେଶ ଶିଶୁଙ୍କ ଭାଗ୍ୟ
ଶିଶୁଙ୍କ ମେଳରେ ଜ୍ଞାନ ବାଣ୍ଟିବାକୁ
ମନ ହୁଏ ହାଇ ପାଇଁ l
ପ୍ରାରବ୍ଧ କର୍ମର ଫଳ ଆଧାରରେ
ଏ ବୃତ୍ତି ପାଇଛି ମୁହିଁ
ମୋକର୍ମପଥରେ ଆସୁଯେତେବାଧା
ପଶ୍ଚାତ୍ପଦ ହେବି ନାହିଁ
ଦୃଢ଼ ମନୋବଳ ଆଣଇ ସୁଫଳ
ଶିଶୁଙ୍କୁ ଦେବି ଶିଖାଇ l
ମାଟି ପିଣ୍ଡୁଳାଟି କୁମ୍ଭକାର ହସ୍ତେ
ଗଢ଼ାଇ ନିଅଇ ରୂପ
ଅଜ୍ଞାନ ଶିଶୁଙ୍କୁ ଶିକ୍ଷକ ଗଢନ୍ତି
ଆଚରି କଠିନ ତପ
ଜ୍ଞାନ ତରୁ ଭାବି ଶିଶୁ ଆଶ୍ରା କରେ
ତାର ଜୀବନ ଗଢ଼ିବା ପାଇଁ l
ପଶୁର ଅନ୍ତର ବୁଝି ପଶୁ ପାଳଇ
ଉତ୍ତମ ପଶୁ ପାଳକ
ଶିଶୁର ଅନ୍ତର ବୁଝି ଜ୍ଞାନ ଢାଳେ
ଭାବ ପ୍ରବଣ ଶିକ୍ଷକ
ତେଣୁ ଅଜ୍ଞ ଶିଶୁ ଭକ୍ତି ଅର୍ଘ୍ୟ ଢାଳେ
ଗୁରୁ ପଦେ ମଥା ନଇଁ l
କୋମଳ ଚପଳ ବାଳୁତ ମନକୁ
ମାପି ପରେ ଅବା କିଏ
ମାପିବା ଦକ୍ଷତା ଅଛି ବୋଲି ଗୁରୁ
ମାପ ଦଣ୍ଡ ଧରି ଥାଏ
ସେହି ମାପ ଦଣ୍ଡ ଗଢାଇ ଶିଶୁକୁ
ମଣିଷ ପଣିଆ ଦେଇ l
ସୁବର୍ଣ୍ଣକୁ ଯେତେ ପେଶୀବା ଅନଲେ
ଶୁଦ୍ଧତା ଉଠିବ ଫୁଟି
ବାଧା ବିଘ୍ନ ଯେତେ ଆସିବ ଜୀବନେ
ପୌରୁଷ ଆଣେ ସାଉଁଟି
ସୁଖ ଦୁଃଖ ପୂର୍ଣ୍ଣ ଏଇତ ଜୀବନ
ସ୍ୱାଦ ଚାଖିବାର ପାଇଁ l
ବିଧାତାଙ୍କ ଇଚ୍ଛା ମୋ ଜୀବଦଶାରେ
ଶିଶୁଙ୍କୁ ଗଢିବି ମୁହିଁ
ଦୁର୍ଗୁଣକୁ ହରି ସୁଗୁଣକୁ ଭରି
ମଣିଷ ପଣିଆ ଦେଇ
ଅଣ ପରିଶୋଧ ରୁଣ ଗୁଣ ଗାଏ
ତାର ଯାବତ୍ ଜୀବନ ପାଇଁ l
ଜ୍ଞାନ ଆହରଣ ଜ୍ଞାନ ବିତରଣ
ଏହି ଶିକ୍ଷକ ସ୍ଵଧର୍ମ
ସ୍ଵଧର୍ମ ବିହୁନେ ଆଳସ୍ୟ ପଣରେ
ବ୍ୟର୍ଥ ସିନା ଏ ଜୀବନ
ଅଜ୍ଞାନ ତିମିର ଦୂର କରିଦେବା
ଆଲୋକ ବର୍ତ୍ତିକା ହୋଇ |