ବାପୁ ! ତୁମେ ଆସିବକି ଫେରି
ବାପୁ ! ତୁମେ ଆସିବକି ଫେରି
ତୁମେ ଶୋଇଗଲ ଚିର ନିଦ୍ରାରେ
ନାଥୁରାମର ତିନଟି ଗୁଳି
ତୁମକୁ ମୁକ୍ତିର ପଥ ବାଛିଦେଲା
ଚାଲିଗଲ ଅଫେରା ବାଟରେ
ଭୁଲିଗଲ ତୁମ ସ୍ବପ୍ନ ର ତୀର୍ଥ କୁ
ଭୁଲିଗଲ ମାଟିର ମଣିଷଙ୍କୁ
ଗୁମୁରି ଗୁମୁରି କାନ୍ଦୁଛି ତୁମ ପାଦଚିହ୍ନ
ମାଟି,ପାଣି,ପବନ ଆଉ ଗଛ ,ଲତା, ଫୁଲ,ଫଳ
ଝାରୁଛନ୍ତି ଲୁହ ନୀରବରେ
ଏକ ଲୟରେ ରହିଛନ୍ତି ଚାହିଁ
ତୁମର ଫେରିବା ବାଟକୁ ।।
ସ୍ବପ୍ନମାନେ ସ୍ଥାଣୁ ଓ ନିର୍ବାକ ତୁମ ଆବର୍ତ୍ତମାନରେ
ଏକା ଏକା ଜୀଇଁବାକୁ ଅଣ୍ଟା ଭିଡିଛନ୍ତି
ନିଛାଟିଆ ନିରୋଳା ମୁହୂର୍ତ୍ତରେ ଇଛାମାନେ
ହା ହା କାର କରୁଛନ୍ତି ଉଡିବାକୁ ଆକାଶରେ
ସ୍ମୃତିସବୁ ଯେତେ ଲିପିବଦ୍ଧ ସ୍ବର୍ଣ୍ଣାକ୍ଷରେ
ଲାଗେ ଯାହା ଆହାତ, ରକ୍ତାକ୍ତ ଓ ଅବଶ
ବିକଳାଙ୍ଗ, ବିକଟାଳ ଦର୍ଶନମାନଙ୍କ ସ୍ପର୍ଦ୍ଧିତ ପ୍ରବେଶ
ସତ୍ୟ , ଅହିଂସା,ଶାନ୍ତି ଓ ପ୍ରଗତି ର ଚିରନ୍ତନି ବାର୍ତ୍ତା
ନିସ୍ପନ୍ଦ, ପ୍ରାଣହୀନ ଓ ବିଭସ୍ଛ ।।
ମରି ମରି ବଂଚିବାର ଅଭିନୟ କରୁଛନ୍ତି
ତୁମେ ଛାଡିଥିବା ସ୍ବାକ୍ଷରଗୁଡିକ
ଆର୍ତ୍ତନାଦ ଶୁଭୁଛି ବାରମ୍ବାର
ରାଜପଥ ଠାରୁ ଗିରିଶୃଙ୍ଗ ଯାଏ
ବ୍ୟପିଛି ମାଟିରୁ ଆକାଶ କତେ କପଟତା
ରକ୍ତର ଛିଟା ଚଉଦିଗ ଉଗ୍ରବାଦୀର କମାଣରେ
ଅଟ୍ଟହାସ୍ୟ ଅଦମ୍ୟ ପିପାସାର
କୁଆଁରୀ ମାଂସର ଶେଷହୀନ ବିଳାପ
କଷଣ ,ଶୋଷଣ ଓ ଦୁର୍ନୀତିର ପ୍ରଜ୍ବଳିତ ଅଗ୍ନଶିଖା
ଶାଖା ପ୍ରଶାଖା ମେଲିଲାଣି
ଫେରିଆସ ଫେରିଆସ ଦେଖିଯାଅ ଥରେ ।।
ତୁମ ମାନସ ସନ୍ତାନ ରାମରାଜ୍ୟ
କଳୁଷିତ ବ୍ୟଭିଚାରୀମାନଙ୍କ ଗହଣେ
ନୀତି ନୈତିକତାର ଧ୍ବଂସ ସ୍ତୁପ ଉପରେ
ଉଡେ ବୈଜୟନ୍ତୀ ଫର ଫର
ଅନୀତି ଓ ଦୁର୍ନୀତିର।
ଶକୁନିର ପଶାପାଲି ଚଳ ଚଂଚଳ
ରକ୍ତ ଏଠି ଫୁଟୁଛି ଟକ୍ ମକ୍
ପ୍ରତିହିଂସା ର ନିଆଁ ରେ ,
କେତେ ମୁଣ୍ଡ ଲୋଟି ପଡୁଛି ଦିବାଲୋକେ
କଂକ୍ରିଟ୍ ର କଳା ମଚମଚ ତତଲା ରାସ୍ତାରେ ।।
ତୁମ କଳ୍ପିତ ସୁନ୍ଦର ପୃଥିବୀ ଅସ୍ବଚ୍ଛ ଦୂଷିତ
ଅପଭ୍ରଂସ ହେଲାଣି ତୁମ ସ୍ବଚ୍ଛତାର ଅମୃତ ବାଣୀ
ଯାତନାର ଯଉଘରେ ଜଳୁଛି ଜୀବନ
ଅସତ୍ୟ ଛଳନାର ଲାଲ୍ ଟହ ଟହ ଜୀହ୍ବ
ଏନ୍ତୁଡିଶାଳରୁ ଶ୍ମଶାନ ଯାଏ ଘୁରୁଛି ଚତୁର୍ଦିଗ
ସବୁ ଓଲଟ ପାଲଟ ଗାଣତିକ ସୂତ୍ର
ଦୃଶ୍ୟ ରୁ ଦୃଶ୍ୟାନ୍ତର ତୁମ ହାତଗଢା ମାନଚିତ୍ର
ଆଉ କେତେଦିନ ଦେଖୁଥିବ ଏ ନର୍କର ଯନ୍ତ୍ରଣା ?
କେତେକାଳ ବସିଥିବ ତୁମେ ଅଧାଗଢା ଦାରୁବ୍ରହ୍ମ ହୋଇ
ହେ ବାପୁଜୀ ! ମାଟିର ଗୌରବ ଚିର ଭାସ୍ବର
ଆସିବକି ପୁଣି ଫେରି ତୁମର ଏ ସ୍ବପ୍ନ ପୁରୀ କୁ !!
----'---------------------
ଶରତ କୁମାର ଦାସ,ବଡବିଲ ମହାବିଦ୍ୟାଳୟ, ବଡବିଲ ।