ଥିଲେ ଦୁଃଖ,ନଥିଲେ ଦୁଃଖ
ଥିଲେ ଦୁଃଖ,ନଥିଲେ ଦୁଃଖ
(ପଲ୍ଲୀ କବିତା)
--------------------
ବଅସ ତିରିଶି ଛୁଆଁ,
ଘରକଣେ ବସି କାନ୍ଦେ ବେନୁଆଁ,
ତାକୁ ମିଳୁନାହାନ୍ତି କନିଆଁ।
ତଳଖଣ୍ଡି ପାଣୁ ଭୋଇ,
ମାଇପ ପାଇଚି ଡିହ କାଣ୍ଡେଇ,
ଘରେ ଭାଙ୍ଗୁଚି ହାଣ୍ଡି କୁଣ୍ଢେଇ।
ନିତି ଦୁମୁ ଦୁମୁ ପାଲା,
ପାଣୁଭାଇ ପିଠି ଫୋଟକା ହେଲା,
ନିଆଁଖୁଣ୍ଟା ମାଇପ ଚେଙ୍କିଲା।
ଧୋବେଇ ଖୁଡୀ ଆମର,
ପୁଅଟିଏ ପାଇଁ କେଡେ ଆତୁର,
ଛଅ ଝିଅର ସଂସାର ତାର।
କେତେ ଦେବାଦେବୀ କଲା,
ପଠାଣଠୁଁ ଡଉଁରିଆ ବାନ୍ଧିଲା,
ପୁଅ ବକଟେ ଭାଗ୍ୟେ ନଥେଲା।
ମୋ ଦଦା ବଇଁଶିଧର,
ପୁଅକୁ ପଢେଇ କଲା ଡାକ୍ତର,
ପୁଅ ମାଡୁନି ଘର ଦୁଆର।
ବୁଢା ହଉଚି ଘୋଷାଡି,
ବଅସ ହେଲାଣି ତା ଚାରିକୋଡି,
ପୁଅ ଦଉନି କାଣିକଉଡି।
ବୁରୁନ୍ଦା ଭାଇଟି ମୋର,
କେଡେ ଦୁଃଖର ତା ଘର ସଂସାର,
ତାର ଚୁଲିଟି ବିଲେଇ ଘର।
ମକୁନ୍ଦା ଭାଇକି ଅନା,
ବଡ ଧନୀ ବୋଲି ବାନ୍ଧିଚି ବାନା,
ଘରେ ପାଞ୍ଚକେଜି ଥବ ସୁନା।
ମନରେ ତା ନାହିଁ ଶାନ୍ତି,
ଚୋର ଡର ଘାରେ ଦିବସ ରାତି,
ରୋଗ ଦିହରେ ଗଲାଣି ମାତି।
ଚକ୍ରଧର ଡାକତର,
କେତେ ରୋଗୀଙ୍କର ସିନା ଈଶ୍ବର,
ନିଜେ ଡାଇବେଟିସି ଶିକାର।
ରକ୍ତଚାପ ଭୋଗୁସୁନ୍ତି,
କୋଡିଏ ବଟିକା ନିତି ଗିଳନ୍ତି,
ଏଣେ ଡାକତର ହେଇସିନ୍ତି।
ଶୁକୁରିଆ ମାଝି ଭାଇ,
ବିଲ ତାର ବାଡି ଗୋବରେ ନାହିଁ,
ଚାଷପାଇଁ ହୁଏ ହାଇଁପାଇଁ।
କୁଷୁନିଆଁ ଜମିଦାର,
ବାରବାଟି ବିଲ ଅଚଷା ତାର,
ତଣ୍ଡି,ବେଣା କରିଲେଣି ଘର।
ସଂସାର ନିୟମ ସଖୀ,
ଥାଉ ବା ନଥାଉ ସମସ୍ତେ ଦୁଃଖୀ,
ନିଜେ ଚାହିଁଲେ ହୋଇବୁ ସୁଖୀ।